ମୋତେ ଭୋଟ ନଦେଲେ ତୋ ପୁଅକୁ ଜୀବନରୁ ମାରିଦେବି; ଭୋଟ ଭିକ୍ଷା ବଦଳରେ ଘରେ ପସି ଧମକ ଦେଲେ ସରପଞ୍ଚ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । କିଏ ନିଜର ଆଗାମୀ କାର୍ଯ୍ୟକୁ ଲୋକଙ୍କ ଆଗରେ ବର୍ଣ୍ଣନା କରି ଭୋଟ ହାତେଇଥିବାବେଳେ ଆଉ କିଏ ଶାସକ ଦଳକୁ ଟାର୍ଗେଟ କରି ଭୋଟ ହାତେଇବାରେ ଲାଗିଛି । ଏହା ମଧ୍ୟରେ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ଦବଙ୍ଗଗିରିର କଥା ସାମ୍ନାକୁ ଆସିଛି । ଭୋଟ ଭିକ୍ଷା ବଦଳରେ ଲୋକଙ୍କମାନଙ୍କୁ ଦେଉଛନ୍ତି ଖୁଲମଖୁଲ୍ଲା ଧମକ । ଏପରିକି ଘରେ ଘରେ ପଶି ଲୋକମାନଙ୍କୁ ଭୋଟ ଦେବା ପାଇଁ ଧମକ ଦେଉଥିବାର ଅଭିଯୋଗ ହୋଇଛି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ କୁଇକଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦେବରାଜ ମହାନନ୍ଦ ରେଙ୍ଗାଲୀ ପଟେଲ ପଡାର ଭାଗବତିଆ ପଟେଲଙ୍କ ଘରକୁ ଯାଇ ମୋତେ ଭୋଟ୍ ନଦେଲେ ତୋ ପୁଅକୁ ଜୀବନରୁ ମାରିବା ସଂଗେ ସଂଗେ ତୋତେ ବି ଜୀବନରୁ ମାରିଦେବି ବୋଲି କହିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଯଦି ସରପଞ୍ଚ ପ୍ରାର୍ଥୀ ଦେବରାଜ ମହାନନ୍ଦକୁ ଗିରଫ ନ କଲେ ଗୁରୁବାର ସଇଁତଲାରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି । ରାଜ୍ୟରେ ପ୍ରତ୍ୟେକ ଦିନ ବିଭନ୍ନ ଅଞ୍ଚଳରୁ ନିର୍ବାଚନୀ ହିଂସା ଦେଖାଦେଉଥିବାବେଳେ ଏପରି ଘଟଣା ସାମ୍ନାକୁ ଆସିବା ରାଜ୍ୟର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି ।

Related Posts