‘ମୁଁ ନିଲମ୍ବିତ ସାଂସଦ’: ରାଜ୍ୟସଭାରୁ ନିଲମ୍ବିତ ହେବାପରେ ଟ୍ଵିଟର ବାୟୋ ବଦଳାଇଲେ ଆପ ସାଂସଦ ରାଘବ ଚଢା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ଆପ୍‌ ସାଂସଦ ରାଘବ ଚଢା ଟ୍ଵିଟରେ ନିଜର ବାୟୋ ବଦଳାଇଛନ୍ତି । ଜାଲ ଦସ୍ତଖତ ମାମଲାରେ ତାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ହେବା ପରେ ଚଢା ଟ୍ଵିଟର ବାୟୋ ପରିବର୍ତ୍ତନ କରିଛନ୍ତି । ପ୍ରଥମେ ଟ୍ଵିଟର ବାୟୋରେ ରାଘବ ଚଢା ସାଂସଦ ବୋଲି ଲେଖିଥିଲେ । କିନ୍ତୁ ଏବେ ଏହାକୁ ବଦଳାଇ ନିଲମ୍ବିତ ସାଂସଦ ଲେଖିଛନ୍ତି ।

ସୂଚନା ଅନୁସାରେ, ଦିନକ ତଳେ ରାଘବଙ୍କୁ ଜାଲ୍ ଦସ୍ତଖତ ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା।ଏଥିସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସ୍ୱାଧିକାର କମିଟି କରିବ ବୋଲି କୁହାଯାଇଛି। ଯେଉଁ ପର୍ଯ୍ୟନ୍ତ କମିଟି ରିପୋର୍ଟ ଦେଇନାହାନ୍ତି, ସେଯାଏ ରାଘବଙ୍କ ଉପରେ ନିଲମ୍ବନ ଆଦେଶ ବଳବତ୍ତର ରହିବ।

ତେବେ ରାଜ୍ୟସଭାରେ ଦିଲ୍ଲୀ ବିଲ୍‌ ଉପରେ ବିତର୍କ ବେଳେ ଏହାକୁ ରାଘବ ବିରୋଧ କରିଥିଲେ। ଏଥିସହ ସେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରି ଗୋଟିଏ ପ୍ରସ୍ତାବ ଦେଇଥିଲେ। ଏଥିରେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ୫ ଜଣ ସାଂସଦଙ୍କ ଦସ୍ତଖତ ରହିଥିଲା। ତେବେ ରାଘବ ସାଂସଦମାନଙ୍କ ମତାମତ ନ ନେଇ ନୋଟିସ ଦେଇଥିବା ଅଭିଯୋଗ ହୋଇଥିଲା।

ସେ ସାଂସଦଙ୍କମାନଙ୍କ ନକଲି ଦସ୍ତଖତ କରିଥିବା ଘଟଣାକୁ ନେଇ ବେଶ ତମ୍ବିତୋଫାନ ଦେଖିବାକୁ ମିଳିଥିଲା। ରାଜ୍ୟସଭାକୁ ରାଘବ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ତାଙ୍କୁ ନିଲମ୍ବିତ କରିବାକୁ ଦାବି ଉଠିଥିଲା। ଏଥିପାଇଁ ରାଜ୍ୟସଭାର ନେତା ତଥା ବିଜେପି ସାଂସଦ ପୀୟୂଷ ଗୋଏଲ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ଗ୍ରହଣ କରି ନେଇଥିଲେ। ଏହାପରେ ସେ ରାଘବଙ୍କୁ ନିଲମ୍ୱିତ କରିଥିଲେ ।

ସେପଟେ ବିଜେପି ଜାଣିଶୁଣି ଚଢ଼ାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଆପ୍ ଅଭିଯୋଗ କରିଛି। ରାଘବ ଚଢ଼ାଙ୍କ ବିରୋଧରେ ନକଲି ଦସ୍ତଖତ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆପ୍‌ କହିଛି ।

Related Posts