ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଓଡ଼ିଶା ଅର୍ଥନୀତିରେ ଚାପ, କୃଷି ପ୍ରଭାବିତ


ଭୁବନେଶ୍ୱର:
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଓଡ଼ିଶାର ଅର୍ଥନୀତି ଉପରେ ପଡ଼ିବାରୁ ରାଜ୍ୟ ସରକାର ସଚେତନ ହୋଇଛନ୍ତି। ପଶ୍ଚିମ ଏସିଆ ଓଡ଼ିଶା ପାଇଁ ଏକ ମୁଖ୍ୟ ରପ୍ତାନି ବଜାର ହେବାରୁ ସାମୁଦ୍ରିକ ଉତ୍ପାଦ, ପ୍ରକ୍ରିୟାକୃତ ଖଣିଜ, ରାସାୟନିକ ଶିଳ୍ପ ଓ ଶକ୍ତି କ୍ଷେତ୍ର ଉପରେ ଏହାର ପ୍ରଭାବ ନେଇ ଚିନ୍ତା ବଢ଼ିଛି।
ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ସମସ୍ୟା ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ବୈଠକରେ ଶିଳ୍ପକ୍ଷେତ୍ରରେ କଞ୍ଚାମାଲ ଅଭାବ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସହିତ ଶକ୍ତି ଓ ସାର ମୂଲ୍ୟ ବୃଦ୍ଧି ଯୋଗୁଁ କୃଷିକ୍ଷେତ୍ରରେ ପଡ଼ୁଥିବା ଚାପକୁ ଉଲ୍ଲେଖ କରାଯାଇଥିଲା। ବିଶେଷକରି ମତ୍ସ୍ୟ ସମ୍ପଦ କ୍ଷେତ୍ର ଏହି ସଙ୍କଟରେ ଅଧିକ ପ୍ରଭାବିତ ହେଉଥିବାକୁ ବୈଠକରେ ସ୍ୱୀକାର କରାଯାଇଛି।
ସ୍ଥିତିକୁ ମୁକାବିଲା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସୂଚନା ଦେଇଛନ୍ତି। ରାଜ୍ୟରେ ଅଧିକ ଏଲଏନଜି ଟର୍ମିନାଲ୍ ସ୍ଥାପନ, କୋଇଲା ଉତ୍ପାଦନ ବୃଦ୍ଧି ଓ ଏଲପିଜି ଉପରେ ନିର୍ଭରଶୀଳତା କମାଇବାକୁ ଗୁରୁତ୍ୱ ଦିଆଯିବ। ସେଥିପାଇଁ ପିଏନଜି ବିତରଣ ବ୍ୟବସ୍ଥାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି।
କୃଷି କ୍ଷେତ୍ରରେ ୟୁରିଆ ଓ ଏନପିକେ ସାର ଉପଲବ୍ଧତା ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ମିଳିଥିବା ବେଳେ ଆବଶ୍ୟକ ହେଲେ କେନ୍ଦ୍ର ସରକାରଙ୍କୁ ଅଧିକ ସାର ଯୋଗାଣ ପାଇଁ ଅନୁରୋଧ କରାଯିବ। ଜୈବିକ ଓ ବାୟୋ ଫର୍ଟିଲାଇଜର୍ ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହନ ଦେବାରେ ଗୁରୁତ୍ୱ ଦିଆଯାଇଛି।
ପେଟ୍ରୋଲ, ଡିଜେଲ ଓ ଏଲପିଜି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳାକୁ ସ୍ଥିର ରଖିବା ପାଇଁ ସରକାର କଠୋର ନିରୀକ୍ଷଣ କରିବେ। ସମସ୍ତ ପେଟ୍ରୋଲ ପମ୍ପ ଓ ଏଲପିଜି ବିତରକ କେନ୍ଦ୍ରରେ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୁଲିସକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ସେଥିସହ ଇଲେକ୍ଟ୍ରିକ ଭିହିକଲ୍‌ (ଇଭି) ବ୍ୟବହାର ବୃଦ୍ଧି ଓ ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗ୍ୟାସ୍ ଓ ତେଲ ଅଭାବ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭୟକୁ ଦୂର କରିବାକୁ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସହ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts