ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ମୁଖ୍ୟ ନିର୍ବାଚନ କମିସନ ଓ କମିସନର ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟି ନିଯୁକ୍ତ କରିବ

ଭୁବନେଶ୍ୱର,୨/୩(ସତ୍ୟପାଠ ବ୍ୟୁରୋ): ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟ ଭାରତୀୟ ମୁଖ୍ୟ ନିର୍ବାଚନ କମିସନ ଓ ନିର୍ବାଚନ କମିସନର ସଦସ୍ୟମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନିର୍ଦ୍ଦିଷ୍ଟ କରିଛନ୍ତି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ‌ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀଦଳର ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ନିର୍ବାଚନ କମିସନର ସମସ୍ତ ସଦସ୍ୟ ନିଯୁକ୍ତ ହେବେ। ଏହି ତିନିଜଣିଆ କମିଟି ମୁଖ୍ୟ ନିର୍ବାଚନ କମିସନ ଓ ନିର୍ବାଚନ କମିସନର ସଦସ୍ୟମାନଙ୍କ ନିଯୁକ୍ତି ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀଙ୍କୁ ସୁପାରିସ କରିବେ। ଏହି କମିଟିର ପରାମର୍ଶ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ କମିସନର ସଦସ୍ୟଙ୍କୁ ନିଯୁକ୍ତି ଦେବେ।

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ କେଏମ୍ ଜୋସେଫଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।ରାୟ ଶୁଣାଣି କରି ଜଷ୍ଟିସ୍ ଜୋସେଫ୍ କହିଛନ୍ତି ଯେ ପାର୍ଲାମେଣ୍ଟ ଏ ବ୍ୟାପାରରେ କୌଣସି ନୂତନ ଆଇନ ପ୍ରଣୟନ ନ କରିବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ। ଏହାବାଦ ଦେଶର ନିର୍ବାଚନ ପ୍ରକ୍ରିୟାରେ କୌଣସି ଉନ୍ନତ ବ୍ୟବସ୍ଥା ପ୍ରଣୟନ ଲାଗି ଯଦି କୌଣସି ଆବେଦନ ଆସେ ତେବେ ସୁପ୍ରିମକୋର୍ଟ ଏହାକୁ ବିଚାର ଲାଗି ଗ୍ରହଣ କରିବେ ବୋଲି ଜଷ୍ଟିସ ଜୋସେଫ୍ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ ‌ଜୋସେଫଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମ୍ବିଧାନ ଖଣ୍ଡପୀଠରେ ଜଷ୍ଟିସ୍ ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ୍, ହୃଷୀକେଶ ରାୟ ଏବଂ ଜଷ୍ଟିସ୍ ସିଟି ରବିକୁମାର ମାମଲାର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ନିର୍ବାଚନ କମିସନ ଅବାଧ ଓ ଆଇନସମ୍ମତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ। କମିସନ୍ ସମ୍ବିଧାନର ନିୟମ ଓ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଦାୟିତ୍ବ ସଂପାଦନ କରିବା ଆବଶ୍ୟକ। ଗଣତନ୍ତ୍ର କ୍ଷମତା ଓ ଜନତାଙ୍କ ମଧ୍ୟରେ ଛନ୍ଦି ହୋଇରହିଛି। ଗଣତନ୍ତ୍ର ସାଧରଣ ନାଗରିକ ହାତରେ ଶାନ୍ତିପୂର୍ଣ୍ଣ ବିପ୍ଳବର ସୁଯୋଗ ଦେଇଛି ଆଉ ମୁକ୍ତ ଓ ଅବାଧ ନିର୍ବାଚନ ଜରିଆରେ ହିଁ ଏହା ସମ୍ଭବ।

Related Posts