ଖସୁଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା | ଦିନକୁ ଦିନ ମହାମାରୀ ସ୍ଥିତିରେ ସୁଧାର ଆସୁଛି | ତୃତୀୟ ଲହର ପ୍ରଭାବ ଧୀରେ ଧୀରେ କମୁଛି । ଦିନେ ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଥିଲା, ଦିନ କେଇଟାରେ ତାହା ୧୦ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 10,273 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା 11,499 ଥିଲା । ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦେଶରେ ଦିନକରେ 243 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 20,439 ଜଣ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 1,11,472ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ଏବେ 1.00 ପ୍ରତିଶତରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,22,90,921 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,13,724 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 1,77,44,08,129 କୋଟି ଡୋଜ୍ ଟୀକାକରଣ କରାଯାଇଛି । କେବଳ ଶନିବାର ସନ୍ଧ୍ୟା ସୁଦ୍ଧା 21 ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।
ଅନ୍ୟପଟେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୮୬୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୦୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୩ ଜଣ ରହିଛନ୍ତି ।





