ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ଗିରଫ ଯେମିତି ନାଟକୀୟ ଥିଲା, ସେମିତି ମୁକ୍ତ ପ୍ରକ୍ରିୟା ମଧ୍ୟ ନାଟକୀୟ ଢଙ୍ଗରେ ଶେଷ ହେଲା । ମାତ୍ର ଘଣ୍ଟାଏ ମଧ୍ୟରେ ଇମ୍ରାନଙ୍କୁ ହାଜର କରିବା ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ କହିବା ପରେ ସଂଧ୍ୟାରେ ତାଙ୍କୁ ଗିରଫ କରିଥିବା ପାକିସ୍ତାନୀ କେନ୍ଦ୍ରୀୟ ସଂସ୍ଥା ଏନଏବି ହାଜର କରିଥିଲା । ସର୍ବୋଚ୍ଚ କୋର୍ଟ ଇମ୍ରାନଙ୍କ ଗିରଫଦାରିକୁ ବେଆଇନ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତୁରନ୍ତୁ ଇମ୍ରାନଙ୍କୁ ଏନଏବି ହେପାଜତରୁ ମୁକ୍ତ କରାଯାଇଛି ।ତେବେ ଇମ୍ରାନ ଆଜି ଇସ୍ଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସେ ବାସଭବନକୁ ଯିବେ ନାହିଁ ଏବଂ ପୁଲିସ ସୁରକ୍ଷାରେ ରହିବେ ବୋଲି ଜଣାପଡ଼ିଛି।
ଇମ୍ରାନଙ୍କ ଗିରଫଦାରି ବେଆଇନ ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ, ଜଷ୍ଟିସ ମହମ୍ମଦ ଅଲି ମଝର ଏବଂ ଜଷ୍ଟିସ ଥର ମିନାଲ୍ଲାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି। ଇମ୍ରାନଙ୍କ ଗିରଫଦାରି ବିରୋଧରେ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ) ଅଧ୍ୟକ୍ଷଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ପୁଲିସ ଓ ସେନା କାର୍ଯ୍ୟାନୁଷ୍ଠାନ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇମ୍ରାନଙ୍କୁ କୋର୍ଟ ପରିସରରେ ଯେଉଁଭଳି ଭାବେ ଗିରଫ କରାଗଲା ତାହାକୁ କୋର୍ଟ ଭର୍ତ୍ସନା କରିଛନ୍ତି। କୋର୍ଟ ପରିସରରୁ ଏପରି ଗିରଫଦାରୀକୁ ସର୍ବୋଚ୍ଚ କୋର୍ଟ ଅପମାନଜନକ ଓ ଅଣସାମ୍ବିଧାନିକ ବୋଲି କହିଥିଲେ । ସର୍ବୋଚ୍ଚ କୋର୍ଟ ଗିରଫଦାରୀ ଶୈଳୀ ଉପରେ ପ୍ରଶ୍ନ ଉଠାଇ କହିଥିଲେ, କୌଣସି କୋର୍ଟ ପରିସର ମଧ୍ୟରୁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବନାହିଁ । ଇମ୍ରାନଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ ଢଙ୍ଗରେ ହୋଇଛି । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ ଏନଏବିକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋର୍ଟ ଇମ୍ରାନ ଖାନଙ୍କୁ ମଧ୍ୟ କହିଥିଲେ, ”ଆପଣକୁ ମୁକ୍ତ କରାଯାଉଛି, ହେଲେ ଆପଣଙ୍କ ଗିରଫଦାରୀ ପରେ ସମଗ୍ର ଦେଶରେ ଯେଉଁ ହିଂସା ଦେଖାଯାଇଛି ତାହା ନିନ୍ଦନୀୟ । ଆପଣ ମଧ୍ୟ ଏହି ହିଂସାକୁ ନିନ୍ଦା କରିବା ଉଚିତ ।”
ଆଜି ମୁକ୍ତ କରିବା ସହ ସର୍ବୋଚ୍ଚ କୋର୍ଟ ଇମ୍ରାନଙ୍କୁ ୧୨ ତାରିଖରେ ଅସଲାମାବାଦ ହାଇକୋର୍ଟରେ ହାଜର ହେବାକୁ କହିଛନ୍ତି । ଉକ୍ତ ଶୁଣାଣିରେ ହାଇକୋର୍ଟ ଯେଉଁ ନଷ୍ପତ୍ତି ଗ୍ରହଣ କରିବେ ତାହା ଇମ୍ରାନଙ୍କୁ ଗ୍ରହଣ କରିବାକୁ ହେବ । ଏହି ସମୟରେ ଇମ୍ରାନ ମଧ୍ୟ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ତାଙ୍କୁ ଗିରଫଦାରୀ ପରେ ପୋଲିସ ମାଡ ମାରିଛି । ପୋଲିସ କଷ୍ଟଡିରେ ତାଙ୍କୁ ବାଡିରେ ମାଡ ମରାଯାଇଥିବା ଇମ୍ରାନ କୋର୍ଟଙ୍କୁ ଅବଗତ କରିଥିଲେ । ଇମ୍ରାନଙ୍କ ମାମଲାର ଶୁଣାଣି କରିଥିବା ୩ଜଣିଆ ଖଣ୍ଡପୀଠ ତଦନ୍ତକାରୀ ସଂସ୍ଥା ଏ ଏନଏବିକୁ ଏପରି କର୍ଯାନୁଷ୍ଠାନରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଇମ୍ରାନଙ୍କୁ ମଙ୍ଗଳବାର ଦିନ ଇସଲାମାବାଦ କୋର୍ଟ ପରିସରରୁ ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଗିରଫ କରାଯାଇଥିଲା ଏବଂ ଏହାପରେ ତାଙ୍କୁ ଧକ୍କା ମାରି ଏକ ଭ୍ୟାନ୍ରେ ବସାଯାଇଥିଲା। ୯୦-୧୦୦ ଜଣ ପାକ୍ ରେଂଜର୍ସ କୋର୍ଟ ପରିସରରେ ପଶି ଇମ୍ରାନଙ୍କୁ ଗିରଫ କରିବା ବିଷୟକୁ ସୁପ୍ରିମ୍କୋର୍ଟ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।
ତେବେ କ୍ଷମତାରୁ ହଟିବା ପରେ ଇମ୍ରାନଙ୍କ ନାମରେ ଏକାଧିକ ଦୁର୍ନୀତି ମାମଲା ଦାଏର ହୋଇଛି । ଯେଉଁଥିରେ ସେ ଆଇନଗତ ଲଢେଇ ଲଢୁଛନ୍ତି । ଅତୀତରେ ତାଙ୍କ ଉପରେ ହୋଇଥିବା ଗୁଳିମାଡ ପାଇଁ ସେ ସିଧାସଳଖ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ, ସେନା ଓ ଗୁଇନ୍ଦା ବିଭାଗକୁ ଦାୟୀ କରି ଅଭିଯୋଗ ଆଣିଥିଲେ । ତାଙ୍କୁ ହତ୍ୟା କରିବା ପାଇଁ ସରକାରୀ ସ୍ତରରେ ଷଡଯନ୍ତ୍ର ଜାରି ରହିଥିବା ବାରମ୍ବାର ଇମ୍ରାନ ଅଭିଯୋଗ କରିଆସୁଛନ୍ତି ।





