ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ବିଗତ ୧୦ ବର୍ଷାରେ ରାଜ୍ୟରେ କ୍ରାଇମ୍ବ୍ରାଞ୍ଚ ମୋଟ ୨୨୫ଟି ମାମଲାର ତଦନ୍ତ ଭାର ହାତକୁ ନେଇଛି। ଏହି ମାମଲା ଗୁଡିକରେ କ୍ରାଇମବ୍ରାଞ୍ଚ ୨୬୧ଜଣ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ୮୮ଟି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି କୋର୍ଟରେ ୧୧ଟି ମାମଲାର ଫାଇନାଲ୍ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୧୦ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସେହିପରି ରସୁଲଗଡ଼ସ୍ଥିତ ଷ୍ଟେଟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏସଏଫଏସଏଲ)ରେ ପଲିଗ୍ରାଫ ଟେଷ୍ଟ ସୁବିଧା ରହିଛି। ମାତ୍ର ନାର୍କୋ ଆନାଲିସିସ୍ ଟେଷ୍ଟ କରିବା ପାଇଁ କୌଣସି ସୁବିଧା ନାହିଁ। ଏଥିପାଇଁ କୋର୍ଟଙ୍କ ଅନୁମତି କ୍ରମେ ଅନ୍ୟ ରାଜ୍ୟ କିମ୍ବା କେନ୍ଦ୍ରୀୟ ବିଜ୍ଞାନାଗାରରେ ନାର୍କୋ ଆନାଲିସିସ୍ ଟେଷ୍ଟ କରାଯାଇଥାଏ। ସିଆର୍ପିସି ଧାରା ୧୬୦ରେ କୌଣସି ବୟାନ ରେକର୍ଡ କରାଯାଏ ନାହିଁ। ୧୬୦ରେ ସାକ୍ଷୀଙ୍କୁ ନୋଟିସ୍ ଦେଇ ଡକାଯାଏ। ସିଆର୍ପିସି ୧୬୧ ଧାରାରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଏ। ନାର୍କୋ ଟେଷ୍ଟ କୋର୍ଟଙ୍କ ଆଦେଶ ଅନୁସାରେ ଏବଂ ମୁଦାଲାର ସହମତି ଭିତ୍ତିରେ ହୋଇପାରିବ। ପଲିଗ୍ରାଫ ଟେଷ୍ଟ ମୁଦାଲାର ସହମତି କ୍ରମେ କରାଯାଇପାରିବ।
ତେବେ ରାଜ୍ୟରେ ଗତ ୧୦ ବର୍ଷରେ କ୍ରାଇମ୍ବ୍ରାଞ୍ଚ ରୁଜୁ କରିଥିବା ମାମଲା, ଚାର୍ଜସିଟ୍ ଦାଖଲ, ଦୋଷୀସାବ୍ୟସ୍ତ ଏବଂ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ରଜ୍ୟରେ ଥିବା ସୁବିଧା ଓ ସମସ୍ୟାକୁ ନେଇ ବିଧାନସଭାରେ ବିଧାୟକ ଗଣେଶ ରାମ୍ ସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଗୃହ ରଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।





