୨ ବର୍ଷରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ହେଲିକପ୍ଟର ଭଡ଼ା ବାବଦକୁ ଖର୍ଚ୍ଚ ହୋଇଛି ୧୭.୮୯କୋଟି

ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଗସ୍ତ ପାଇଁ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଭଡ଼ାରେ ଆଣି ରଖିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ ନୁହେଁ, ବରିଷ୍ଠ ଅଧିକାରୀମାନେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାତାୟତ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ପୁରୀ ଓ କଟକ ଭଳି ପାଖ ସ୍ଥାନକୁ ମଧ୍ୟ ହେଲିକପ୍ଟରରେ ଯାତ୍ରା କରିଥିବା ନଜରକୁ ଆସିଛି । ଏପରିକି ହେଲିକପ୍ଟର ଭଡ଼ାରେ ଆସି ଭୁବନେଶ୍ବରରେ ରହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ବରରୁ କଟକ ଗସ୍ତ ବାବଦକୁ ରାଜ୍ୟ ସରକାରଙ୍କୁ ୮୫ଲକ୍ଷ ୯୧ହଜାର ଟଙ୍କା ବି ଗଣିବାକୁ ପଡ଼ିଛି।କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ପରେ ବିଦେଶ ଗସ୍ତରେ (ରୋମ୍, ଇଟାଲି ଓ ଦୁବାଇ) ଯାଇଥିବାବେଳେ ଏଥିପାଇଁ ରାଜକୋଷରୁ ୮୨ଲକ୍ଷ ୯୨ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଗତ ୨୦୨୧ ମାର୍ଚ୍ଚ ରୁ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ପାଖାପାଖି ୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ ୭୬ଥର ହେଲିକପ୍ଟର ବ୍ୟବହାର କରିଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ କେବଳ ୩୬ଥର ହେଲିକପ୍ଟରରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ବାବଦକୁ ରାଜ୍ୟ ସରକାର ୧୭କୋଟି ୮୯ଲକ୍ଷ ୧୩ହଜାର ୭୧୩ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହାବାଦ୍ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି। ଏହି ସମୟ ମଧ୍ୟରେ ମୋଟ ୨୨ଥର ଏୟାରକ୍ରାଫ୍ଟ ବ୍ୟବହାର ହୋଇଥିବାବେଳେ ଏହା ବାବଦକୁ ୭କୋଟି ୯୩ଲକ୍ଷ ୬ହଜାର ୪୫୧ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ୧୨ଥର ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି। ଏହାଭିତରେ ଥରଟିଏ ଭୁବନେଶ୍ବରରୁ ଦିଲ୍ଲୀ ଗସ୍ତ ସାମିଲ୍‌ ଅଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, ହାଇଦ୍ରାବାଦ ଗସ୍ତରେ ୧୬ଥର ଯାଇଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଭଡ଼ା ବାବଦକୁ ୪କୋଟି ୪୮ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ଅପରପକ୍ଷେ ଯାତ୍ରୀବାହୀ ବିମାନରେ ମୁଖ୍ୟମନ୍ତ୍ରୀ ରୋମ୍‌, ଇଟାଲି ଓ ଦୁବାଇ ଗସ୍ତରେ ଯାଇଥିବାବେଳେ ଏହା ବାବଦକୁ ୮୨ଲକ୍ଷ ୯୨ହଜାର ୪୪୯ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ୧୭ଥର ବାହାର ରାଜ୍ୟ ଏବଂ ରାଜ୍ୟ ଭିତରେ ଯାତାୟତ କରିଥିବାବେଳେ ଏ ବାବଦକୁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଥିବା ଗୃହରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Posts