ଭୁବନେଶ୍ଵର,୩୧/୧୨(ସତ୍ୟପାଠ ବ୍ୟୁରୋ): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ୨୦୨୨ ମସିହାରେ ଭଲ ସଫଳତା ମିଳିଛି | କାଶ୍ମୀର ପୋଲିସର ଏକ ରିପୋର୍ଟ ମୁତାବକ ୨୦୨୨ ମସିହାରେ କେବଳ କଶ୍ମୀର ଜୋନରେ ମୋଟ ୯୩ଟି ସଫଳ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ସମୁଦାୟ ୧୭୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିମଧ୍ୟରେ ୪୨ ଜଣ ବିଦେଶୀ ଆତଙ୍କବାଦୀ ଥିଲେ। କଶ୍ମୀରର ଏଡିଜିପି ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ ଲଶ୍କର-ଏ-ତୋଇବା ଏବଂ ଟିଆରଏଫର ସର୍ବାଧିକ ୧୦୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆତଙ୍କବାଦୀ ସଂଗଠନରେ ନୂତନ ନିଯୁକ୍ତିରେ ୩୭ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି |
ଚଳିତ ବର୍ଷ ଲଶ୍କରରେ ୭୪ଜଣ ଆତଙ୍କବାଦୀ ଯୋଗ ଦେଇଥିବାବେଳେ, ସେଥିମଧ୍ୟରୁ ୬୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୭ ଜଣ ଆତଙ୍କବାଦୀ ଗିରଫ ହୋଇଥିବାବେଳେ ୧୮ ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ପୁଲିସ ଅଧିକାରୀଙ୍କ କହିବାନୁସାରେ, ଚଳିତ ବର୍ଷ କଶ୍ମୀରରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଘଟଣାରେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ଏଡିଜିପି ଦେଇଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଚଳିତ ବର୍ଷ ୨୯ ଜଣ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଏଥିମଧ୍ୟରେ ୨୧ଜଣ ସ୍ଥାନୀୟ ନାଗରିକ ଥିବାବେଳେ ଅନ୍ୟ ରାଜ୍ୟର ୮ ଜଣ ନାଗରିକ ମଧ୍ୟ ଅଛନ୍ତି |





