ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁର୍ନୀତିରେ ବି ମହିଳା ଆଗରେ । ସବୁ କ୍ଷେତ୍ରରେ ଆମେ ପୁରୁଷଙ୍କ ସହ ସମାନ । ଯେଉଁ ଦେଶର ମହିଳାମାନେ ପ୍ରଗତି ପଥରେ ଅଗ୍ରସର ହୋଇ ନାହାନ୍ତି, ସେ ଦେଶର ଉନ୍ନତି ଅସମ୍ଭବ।’ ଏହାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ରାଜନୀତିଠୁ ଆରମ୍ଭ କରି ନିଯୁକ୍ତି ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଏହା ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ତେବେ ଗତ ଅଢ଼େଇ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ମୋଟ ୬୨୭ଜଣ ଦୁର୍ନୀତିଗ୍ରସ୍ତ ଧରାପଡ଼ିଛନ୍ତି। ସେଥିମଧ୍ୟରୁ ୯୯ଜଣ ଅର୍ଥାତ୍ ପ୍ରାୟ ୧୫.୭୮% ମହିଳା। ଭିଜିଲାନ୍ସ ପରିସଂଖ୍ୟାନ ଆହୁରି କହୁଛି, ମହିଳା ଦୁର୍ନୀତି ଅଭିଯୁକ୍ତଙ୍କ ମଧ୍ୟରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୧୪ଜଣ ଓ ଲାଞ୍ଚ କାରବାର ବେଳେ ୩୭ଜଣ ଗିରଫ ହୋଇଛନ୍ତି। ବିଭାଗୀୟ ଦୁର୍ନୀତିର ତଦନ୍ତରୁ ଏବଂ ବେଆଇନ ନଗଦ ଟଙ୍କା ନେଇ ଯାଉଥିବା ବେଳେ ୪୮ଜଣ ଧରାପଡ଼ିଛନ୍ତି। କେବଳ ସେତିକି ନୁହେଁ, ମହିଳାଙ୍କ କ୍ଷେତ୍ରରେ ଲାଞ୍ଚ ଓ ଆୟ ବହିର୍ଭୂତ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୨୦ରେ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ମାମଲାରେ ମୋଟ ୧୬ଜଣ ମହିଳାଙ୍କୁ ଭିଜିଲାନ୍ସ ଧରିଥିଲା।
ମହାମାରୀ କରୋନା ସତ୍ତ୍ବେ ୨୦୨୧ରେ ଏହି ସଂଖ୍ୟା ବେଶ୍ ଆଖିଦୃଶିଆ (୬୯%) ବୃଦ୍ଧିପାଇଛି। ଅର୍ଥାତ୍ ୧୬ରୁ ବଢ଼ି ୨୭କୁ ଛୁଇଁଛି। ଚଳିତ ବର୍ଷର ୫ମାସ ମଧ୍ୟରେ ୮ଜଣ ମହିଳା ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଖୁଆଡ଼ରେ ଭର୍ତ୍ତି ହୋଇସାରିଲେଣି। ସେଥିମଧ୍ୟରୁ ୩ଜଣ ମହିଳା ପୁଲିସ କର୍ମଚାରୀ ରହିଛନ୍ତି। ସେହିଭଳି ଲାଞ୍ଚ କାରବାର ସମୟରେ ଅଢ଼େଇ ବର୍ଷରେ ୩୭ଜଣ ଗିରଫ ହୋଇଥିବା ଏହି ରିପୋର୍ଟ କହୁଛି। ନିକଟରେ ଖୋଦ୍ ମାନସୀ ଜେନା ୧୦ଲକ୍ଷ ଟଙ୍କା ନେବା ସମୟରେ ସହଯୋଗୀଙ୍କ ସହିତ ଧରାପଡ଼ିଥିଲେ। ଆଜି ରାଜ୍ୟ ସରକାର ଗୋଟିଏ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେଇ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। କିନ୍ତୁ ଭିଜିଲାନ୍ସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ସ୍ବଚ୍ଛତାକୁ ପ୍ରଶ୍ନଜାଲରେ ଛନ୍ଦି ଦେଇଛି। ଏହା ପୂର୍ବରୁ ୨୦୨୦ରେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ, କୋରାପୁଟ ମୁଜାଙ୍ଗ ସରପଞ୍ଚ ରଇଲା ମାଝୀ, କୋରାପୁଟ ନନ୍ଦପୁର ବ୍ଲକ୍ର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ପ୍ରମୁଖ ଲାଞ୍ଚ କାରବାର ସମୟରେ ଧରାପଡ଼ିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





