ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତଚନ୍ଦନ ଗଛ । ମଙ୍ଗଳବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟର ଗଜପତି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ବନଖଣ୍ଡରେ ରକ୍ତଚନ୍ଦନ ଗଛ ରହିଛି ।ଏହି ବନଖଣ୍ଡର ଲାବଣ୍ୟଗଡ ଜଙ୍ଗଲ ଓ କିଞ୍ଚିଲିଙ୍ଗି ବିଟରେ ଏହାର ଆକଳନ କରାଯାଇଛି । ତେବେ ଏହି ଜଙ୍ଗଲରେ ୩୦ ସେଣ୍ଟିମିଟର ଗୋଲାଇରୁ ଅଧିକ ୧୧୯ଟି ଗଛ ରହିଛି ବୋଲି ମନ୍ତ୍ରୀ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ବିଧାନସଭାରେ ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ କେଉଁ ଜଙ୍ଗଲରେ ଓ କେଉଁ ଜିଲ୍ଲାରେ କେତେ ରକ୍ତ ଚନ୍ଦନ ଗଛ ଅଛି ? କେବଳ ସେତିକି ନୁହେଁ, ରାଜ୍ୟରେ ରକ୍ତ ଚନ୍ଦନ ଗଛର ସଂଖ୍ୟା କେତେ ଓ ଜଙ୍ଗଲରେ ଥିବା ମୂଲ୍ୟବାନ ଶାଗୁଆନ୍ କାଠ, ଶାଳ କାଠ ଓ ଅନ୍ୟାନ୍ୟ ଗଛକୁ କାଟି ତାର ଚୋରା ଚାଲାଣ ବନ୍ଦ କରିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିବା ସହିତ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ରଖିଛନ୍ତି ।





