ଗତ ୧୦ ବର୍ଷରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ, ବିଧାନସଭାରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ୨୦୧୨-୨୦୨୨ ମଧ୍ୟରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ । ସେହିଭଳି ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ଆଖି ବୁଜିଥିବାବେଳେ ଏହି ବର୍ଷ ୮୫ ଜଣ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏନେଇ ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ୨୦୧୭ ମସିହାରେ ହୋଇଥିବା ହାତୀ ଗଣନା ତଥ୍ୟ ଅନୁସାରେ ରାଜୟରେ ମୋଟ ୧୯୭୬ଟି ହାତୀ ଅଛନ୍ତି । ହେଲେ ଗତ ୧୦ ବର୍ଷ ଭିତରେ ମୋଟ ୭୮୪ଟି ହାତୀ ଆଖି ବୁଜିଥିବାବେଳେ ବର୍ଷା ୱାରୀ କେତେ ହାତୀ ମୃତ୍ୟୁ ବରଣ କରିଛନ୍ତି, ସେନେଇ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ୨୦୧୨-୧୩ରେ ୮୨ ହାତୀ ପ୍ରାଣ ହରାଇଥିବା ବେଳେ ହାତୀ ଆକ୍ରମଣରେ ୮୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ସେହିଭଳି ୨୦୧୩-୧୪ ରେ ୭୦ଟି ହାତୀ ଓ ୬୭ ଜଣ ମଣିଷ, ୨୦୧୪-୧୫ ରେ ୫୪ ହାତୀ ଓ ୬୫ ମଣିଷ, ୨୦୧୫-୧୬ ରେ ୮୬ ହାତୀ ଓ ୮୯ ମଣିଷ, ୨୦୧୬-୧୭ରେ ୭୬ ହାତୀ ଓ ୬୬ ମଣିଷ, ୨୦୧୭-୧୮ ରେ ୭୮ ହାତୀ ଓ ୧୦୫ ମଣିଷ, ୨୦୧୯-୨୦ ରେ ୮୨ ହାତୀ ଓ ୧୧୭ ମଣିଷ, ୨୦୨୦-୨୧ରେ ୭୭ ହାତୀ ଓ ୧୩୯ ମଣିଷ, ୨୦୨୧-୨୨ରେ ୮୬ ହାତୀ ଓ ୧୧୨ ମଣିଷ ମୃତ୍ୟୁବରଣ କରିଥିବା ମନ୍ତ୍ରୀ କହିଛନ୍ତି।

ତେବେ ଏନେଇ ପ୍ରଥମେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଧାନସଭାରେ ପ୍ରଶ୍ନ ରଖିଥିଲେ । ସେ କହିଥିଲେ, ରାଜ୍ୟରେ ବର୍ତ୍ତମାନ କେତୋଟି ହାତୀ ଅଛନ୍ତି? ଗତ ୧୦ ବର୍ଷ ଭିତରେ କେତେ ହାତୀ ମରିଛନ୍ତି ଓ କେତେ ଲୋକ ହାତୀ ଆକ୍ରମଣରେ ମରିଛନ୍ତି? ତା ସହିତ ହାତୀ ମୃତ୍ୟୁ ରୋକିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ତାହା ଜାଣିବା ପାଇଁ ବିଜେପି ବିଧାୟକ ଗୃହରେ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ହାତୀ ମୃତ୍ୟୁ ରୋକିବା ପାଇଁ ହାତୀମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି ସହିତ ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ ଆଦି ବ୍ୟବସ୍ଥା କରାଯାଇଛି । ଏହାସହିତ ଶିକାର ନିରୋଧକ ଶିବିର, ବୈଷୟିକ ଜ୍ଞାନକୌଶଳର ଉପଯୋଗିତା ଦ୍ୱାରା ହାତୀ ଓ ଶିକାରୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ତବେ ଏଯାବତ, ଏହି ଘଟଣାରେ ୫୦ ଜଣ ଲୋକଙ୍କ ଉପରେ ଚାର୍ଜସିଟ୍ ହୋଇଥିବାବେଳେ, କୌଣସି ଅଭିଯୁକ୍ତଙ୍କୁ ଅଦାଲତ ଦ୍ୱାରା ଦଣ୍ଡିତ କରାଯାଇନି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Related Posts