ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଚାର ପ୍ରସାରରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ । ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ଓ ବେସରକାରୀ ଯୋଜନାର ପ୍ରଚାର ପ୍ରସାର ଓ ବିଜ୍ଞାପନ ଖର୍ଚ୍ଚ ବାବଦକୁ ୭୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା । ତେବେ ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର ।
ଚଳିତବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ୧୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ସରକାରୀ ଯୋଜନାର ପ୍ରଚାର ପ୍ରସାର ବାବଦକୁ ମୁଦ୍ରିତ ଗଣମାଧ୍ୟମକୁ ୧୭ କୋଟି ୪୩ ଲକ୍ଷ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ ଏବଂ ହୋର୍ଡିଙ୍ଗ ଓ ଆଉଟଡୋର ବ୍ରାଣ୍ଡିରେ ୧ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।
ସେହିଭଳି ଗତ ୫ ବର୍ଷରେ ପ୍ରଚାର ପ୍ରସାର ବାବଦକୁ କେବଳ ସୂଚନା ଓ ଲୋକସଂପର୍କ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୮୩ କୋଟି ଟଙ୍କା। ୨୦୧୯-୨୦ରେ ୩୦ କୋଟି, ୨୦୨୦-୨୧ରେ ୧୨ କୋଟିରୁ ଅଧିକ, ୨୦୨୧-୨୨ରେ ପ୍ରାୟ ୧୦ କୋଟି, ୨୦୨୨-୨୩ରେ ପ୍ରାୟ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।





