ଭୁବନେଶ୍ୱର,31/12(ସତ୍ୟପାଠ ବ୍ୟୁରୋ ) :ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଲାଗିବ ଗହଳି। ଏଥିପାଇଁ ଆଜି ରାତି ଗୋଟାଏରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ହେବ । ରାତିତମାମ ଅନିଦ୍ରା ରଖି ଗୋଟାଏରୁ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିବେ ଭକ୍ତ। ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଛି । ଗତକାଲି ମଧ୍ୟ ଭକ୍ତଙ୍କ ପାଇଁ ରାତି ୨ଟାରୁ ମନ୍ଦିର ଖୋଲା ରହିଥିଲା ।
ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି । ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ । ବିଶ୍ରାମ ପାଇଁ ହଜର୍ମାନ ହ୍ୟାଙ୍ଗର ବ୍ୟବସ୍ତା କରାଯାଇଛି ।
୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥାର ଟ୍ରାଏଲ ରନ୍ କରିଛି ପ୍ରଶାସନ । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀ ସହର କଡ଼ା ସୁରକ୍ଷା ମଧ୍ୟରେ ରହିଛି । ନୂଆବର୍ଷରେ ପୁରୀରେ ୪ରୁ ୫ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରାଯାଉଛି । ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।





