ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବଢୁଥିବା ତାତି ଏବଂ ଆଇଏମଡି ପକ୍ଷରୁ ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ଆକଳନ କରିବା ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା। କିନ୍ତୁ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ୧୬ ତାରିଖ ଯାଏ ସ୍କୁଲ ଗୁଡିକୁ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏବଂ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ଥିବାରୁ ୧୩, ୧୪ ଏବଂ ୧୫ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସେହିପରି ଆଜି ରାଜ୍ୟରେ ୪୧.୬ ଡିଗ୍ରୀ ସହ ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୧.୨ ଡିଗ୍ରୀ, ସମ୍ବଲପୁର ୪୦.୮, ଭୁବନେଶ୍ୱର ୪୦.୭ ଡିଗ୍ରୀ, ବୈଦ୍ଧ ୪୦.୫ ଡିଗ୍ରୀ, ଟିଟିଲାଗଡ ୪୦.୫ ଡିଗ୍ରୀ, ଅନୁଗୁଳ ୪୦.୧ ଡିଗ୍ରୀ, କଟକ ଓ ସୁନ୍ଦରଗଡରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସୋମବାର ଓଡ଼ିଶାର ଦୁଇଟି ସ୍ଥାନ ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ ୪୦.୪ ଓ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

Related Posts