ରତ୍ନଭଣ୍ଡାର ଚାବି ହଜିବା ଘଟଣା; ଷ୍ଟାଟସ୍‍ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ସାର୍ବଜନୀନ କରିବା ନେଇ ହାଇକୋର୍ଟରେ ମାମଲା। ବୁଧବାର ଏହାର ଶୁଣାଣି ହୋଇଛି। ଶୁଣାଣି ବେଳେ ଷ୍ଟାଟସ୍‍ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନିର୍ଦ୍ଦେଶ ପରେ ଆସନ୍ତା ୨ରୁ ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଅନୁମତି ମାଗିଛନ୍ତି ରାଜ୍ୟ ସରକାର। ୨ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇ ଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିସନ ଗଠନ କରିଥିଲେ। କମିସନ ନିଜର ତଦନ୍ତ ଶେଷ କରି ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଏବେ ଯାଏ ଏହାକୁ ସାର୍ବଜନିତ କରାଯାଉନାହିଁ।

Related Posts