ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): କେନ୍ଦୁଝରରେ ମହାବଳ ବାଘକୁ ନେଇ ବନ ବିଭାଗର ଚିନ୍ତା ବଢିଥିବା ବେଳେ ଏବେ ଚୋରି ହୋଇଯାଇଛି ବାଘକୁ ଟ୍ରାକ୍ କରିବାକୁ ଲାଗିଥିବା ଦୁଇଟି କ୍ୟାମେରା । ଏନେଇ ବନ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ମହାବଳ ବାଘ ସ୍ଥିତି ସମ୍ପର୍କରେ ପିସିସିଏଫ ଫଟୋ ସହ ସ୍ପଷ୍ଟ କଲାପରେ ବାଘର ସୁରକ୍ଷା ନେଇ ଚିନ୍ତା ବଢିଯାଇଛି । ଏହା ମଧ୍ୟରେ ପାଟଣା ରେଞ୍ଜରେ ଲାଗିଥିବା ୧୦ଟି ଟ୍ରାକ୍ କ୍ୟାମେରା ମଧ୍ୟରୁ ୨ଟି ଚୋରି ହୋଇଯାଇଛି । ଯାହାକୁ ନେଇ ବନ ବିଭାଗ ପକ୍ଷରୁ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ଫଳରେ ବାଘ ସୁରକ୍ଷା ନେଇ ଏବେ ବନ ବିଭାଗର ଚିନ୍ତା ବଢିଛି । ଶିକାରୀ କିମ୍ବା ଅନ୍ୟ ଦୁର୍ବୃତ ଏହି କ୍ୟାମେରାକୁ ନେଇ ଯାଇଥିବେ । ଯଦି ଏହା ସତ ହୁଏ ତେବେ ସେମାନଙ୍କ ଫଟୋ ନିହାତି ଅନ୍ୟ କ୍ୟାମେରାରେ ଆସିଥିବ ବୋଲି ଏସିଏଫଓ କହିଛନ୍ତି ।
ମହାବଳ ବାଘର ସ୍ଥିତି ଆଗରୁ ଥିଲା ଏବେ ବି ଅଛି । ଶିମିଳିପାଳ, ସାତକୋଶିଆ, ଆନନ୍ଦପୁର, ଅଟେଇ ରେବଣା ପଳାଶପାଳ, ଦେଇ ବାଘ ପୂର୍ବରୁ ଓ ଏବେ ଚଳପ୍ରଚଳ କରୁଥିଲା । ବାଘ ବିଷୟରେ ସମସ୍ତେ ଜାଣିବା ପରେ ଏବେ ତାର ସୁରକ୍ଷା ନେଇ ବନ ବିଭାଗର ଚିନ୍ତା ବଢ଼ିଛି । ଏହାକୁ ନେଇ ଘଟଗାଁ ଓ ପାଟଣା ରେଞ୍ଜର ବିଭିନ୍ନ ସ୍ଥାନରେ ବାଘ ଉପରେ ନଜର ରଖିବାକୁ ୪୫ଟି ଟ୍ରାକ୍ କ୍ୟାମେରା ଲଗାଯାଇଥିଲା । ଦୁଇ ଜଣ ଏସିଏଫଓଙ୍କ ସହ ଜଣେ ଫରେଷ୍ଟର ଓ ୫ ଜଣ ଗାର୍ଡକୁ ନେଇ ଏକ ସ୍କ୍ବାଡ୍ ଗଠନ ହୋଇଛି । ଏଥି ସହ ସେହି ଅଞ୍ଚଳରେ ତିନୋଟି ଫରେଷ୍ଟ ରାସ୍ତାକୁ ସିଲ୍ କରାଯାଇଛି । ଶିକାରି, ଜଙ୍ଗଲ ନିଆଁ ଓ ବାଘ ଉପରେ ନଜର ରଖିବାକୁ ଏସଟିଏଫ, ଜେଟିଏଫ ଓ ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟରଙ୍କ ମାର୍ଗଦର୍ଶନରେ ନଜର ରଖାଯାଇଛି । ବାଘର ସୁରକ୍ଷା ସହ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି।





