ବିଶ୍ୱକପ୍ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ଅଭ୍ୟାସ ମ୍ୟାଚ୍; ୬ ରନ୍ ରେ ଘରୋଇ ଦଳକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ ଜିତିଲା ଟିମ୍ ଇଣ୍ଡିଆ । ଅଭ୍ୟାସ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆକୁ ୬ ରନ୍‌ରେ ହରାଇଲା ଭାରତୀୟ ଦଳ । ଅଷ୍ଟ୍ରେଲିଆର ବ୍ରିସେବେନ୍‌ର ଗାବା ଷ୍ଟାଡିୟମ୍‌ରେ ଚାଲିଥିବା ଅଭ୍ୟାସ୍‌ ମ୍ୟାଚକୁ ରୋମାଞ୍ଚକ ଅନ୍ଦାଜରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ ।

ସୋମବାର ଅନୁଷ୍ଠିତ ହୋଇଥିବା ଏହି ଅଭ୍ୟାସ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍‌ ।ଏବଂ ଭାରତୀୟ ଟିମ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲେ । ୨୦ ଓଭର ବିଶିଷ୍ଠ ଏହି ଅଭ୍ୟାସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ଓ କେଏଲ୍‌ ରାହୁଲ । ୭.୨ ବଲ୍‌ରେ ଦଳୀୟ ସ୍କୋର ୭୮ ରନ୍‌ ହୋଇଥିବା ବେଳେ ଟିମ୍‌ ଇଣ୍ଡିଆକୁ ଲାଗିଥିଲା ପ୍ରଥମ ଝଟ୍‌କା । କେଏଲ୍‌ ରାହୁଲ ୩୩ ବଲ୍‌ରେ ଧୂଆଧାର୍‌ ୫୭ ରନ୍‌ର ପାଳି ଖେଳି ମ୍ୟାକ୍ସଓ୍ୱେଲ୍‌ଙ୍କ ଶୀକାର ହୋଇଥିଲେ ।

ଏହା ପର ଓଭରରେ ଅଧିନାୟକ ମଧ୍ୟ ଫେରିଥିଲେ ପ୍ୟାଭିଲନ୍‌ । ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କ ୫୦ ରନ୍‌ର ଦମ୍‌ଦାର ଇନିଂସ, କୋହଲିଙ୍କ ୧୯ରନ୍‌, କାର୍ତ୍ତିକଙ୍କ ୨୦ ରନ୍‌ ବଦଳରେ ଟିମ୍‌ର ମୋଟ ସ୍କୋର ୧୮୬ରେ ପହଞ୍ଚିବା ସକ୍ଷମ ହୋଇଥିଲା । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ କେନ୍‌ ରିଚାର୍ଡସନ ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଷ୍ଟାର୍କ,ମାକ୍ସଓ୍ୱେଲ, ଆଗର ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ତେବେ ମ୍ୟାଚ୍ ସଂପୂର୍ଣ୍ଣ ରୋଚକ ସ୍ଥିତିରେ ଥିବା ବେଳେ ଶେଷ ଓଭରରେ ୪ ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ ଭାରତୀୟ ବୋଲର ମହମ୍ମଦ ସାମି । ଏହି ଦମଦାର ପ୍ରଦର୍ଶନ ଫଳରେ ୬ ରନରେ ମ୍ୟାଚ୍ ହାତେଇ ନେଇଥିଲା ଭାରତୀୟ ଦଳ।

Related Posts