‘ଭାରତ ଗଣତନ୍ତ୍ରର ଜନନୀ, ସମଗ୍ର ବିଶ୍ୱ ଭାରତ ପ୍ରତି ନୂଆ ଆଶା ଓ ବିଶ୍ୱାସର ସହ ଚାହିଁଛି’: ଫ୍ରାନ୍ସରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫ୍ରାନ୍ସ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍‌ର ଲା ସିଏନ୍‌ ମ୍ୟୁଜିକଲେ ଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଭାରତ ଗଣତନ୍ତ୍ରର ଜନନୀ ବୋଲି କହିଛନ୍ତି । ସେ କହିଛନ୍ତି, ଭାରତ ବିଶ୍ୱରେ ବିବିଧତାର ଏକ ମଡେଲ । ଫ୍ରାନ୍ସକୁ ଆସିବା ଘରକୁ ଆସିବା ଭଳି ଲାଗୁଛି । ଭାରତର ଲୋକମାନେ ଯେଉଁଠାକୁ ଯାଉଛନ୍ତି ସେଠାରେ ସେମାନେ ମିନି ଇଣ୍ଡିଆ କରି ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱ ଏକ ନୂଆ ବୈଶ୍ୱିକ ବ୍ୟବସ୍ଥା ଆଡ଼କୁ ଗତି କରିବାରେ ଲାଗିଛି । ଭାରତର ଦକ୍ଷତା ଓ ଭୂମିକା ଦ୍ରୁତ ପରିବର୍ତ୍ତନ ହେବାରେ ଲାଗିଛି । ପ୍ରତିଟି ଆହ୍ୱାନର ମୁକାବିଲା କ୍ଷେତ୍ରରେ ଭାରତର ଅନୁଭବ ଓ ପ୍ରୟାସ ବିଶ୍ୱ ପାଇଁ ସହାୟକ ହୋଇପାରୁଛି । ଚଳିତଥର ଭାରତ ଜି-୨୦ ବୈଠକରେ ଅଧ୍ୟକ୍ଷତା କରୁଛି । ପ୍ରଥମଥର ପାଇଁ ଏକ ଦେଶର ଅଧ୍ୟକ୍ଷତାରେ ଜି-୨୦ ସଂକ୍ରାନ୍ତରେ ୨୦୦ରୁ ଅଧିକ ବୈଠକ ଅନୁଷ୍ଠିତ ହେଉଛି । ଜି-୨୦ ସମୂହ ଭାରତର ସାମର୍ଥ୍ୟ ଦେଖୁଛି । ଏକବିଂଶ ଶତାବ୍ଦୀରେ ଭାରତ ଓ ଫ୍ରାନ୍ସ ଅନେକ ଆହ୍ୱାନର ମୁକାବିଲା କରୁଛନ୍ତି । ଏଭଳି ଘଡ଼ିସନ୍ଧି ସମୟରେ ଦୁଇଦେଶର ରଣନୀତିକ ସହଯୋଗର ବେଶ ଗୁରୁତ୍ୱ ରହିଛି । ଭାରତ-ଫ୍ରାନ୍ସ ଭାଗିଦାରୀ କ୍ଷେତ୍ରର ଦୃଢ଼ ମୂଳଦୁଆ ହେଉଛି ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ପାରସ୍ପରିକ ବିଶ୍ୱାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାସହିତ ମୋଦି ତାଙ୍କ ଭାଷଣରେ ଚନ୍ଦ୍ରଯାନ-୩ ସମ୍ପର୍କରେ ଉଲ୍ଲେକ କରିଥିଲେ । ସେ କହିଥିଲେ ଯେ, ଆପଣମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଭାରତରେ ଚନ୍ଦ୍ରଯାନ-୩ର ଅବଗଣନାର ଗୁଞ୍ଜରଣ ତାଙ୍କୁ ଶୁଣାଯାଉଛି । ଆଉ କିଛି ଘଣ୍ଟା ପରେ ଭାରତର ଐତିହାସିକ ପ୍ରକ୍ଷେପଣ ଆରମ୍ଭ ହେବ । ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଯୋଗାଣ ଶୃଙ୍ଖଳ ଏବଂ ଆତଙ୍କବାଦ ମୁକାବିଲା ହେଉ କିମ୍ବା ମୌଳବାଦ ମୁକାବିଲା ସମଗ୍ର ବିଶ୍ୱ ଏବେ ଭାରତକୁ ଦେଖୁଛି । ଭାରତ କହିଥାଏ ସତ୍ୟ ଏକ । କିନ୍ତୁ ଏହାକୁ କହିବାର ତରିକା ଭିନ୍ନ ଭିନ୍ନ ହୋଇପାରେ । ଭାରତର ମାଟି ଏକ ବଡ଼ ପରିବର୍ତ୍ତନର ସାକ୍ଷୀ ବନିବାକୁ ଯାଉଛି । ଏହାର କମାଣ୍ଡ ଯୁବବର୍ଗ ଏବଂ କନ୍ୟା-ଭଉଣୀଙ୍କ ପାଖରେ ରହିଛି । ଆଜି ସମଗ୍ର ବିଶ୍ୱ ଭାରତ ପ୍ରତି ନୂଆ ଆଶା ଓ ବିଶ୍ୱାସର ସହ ଚାହିଁଛି । ଏହି ଆଶା ଫଳପ୍ରଦରେ ପରିଣତ ହେବାକୁ ଯାଉଛି । ତାର ଏକ ବଡ଼ ଶକ୍ତି ହେଉଛି ଭାରତର ମାନବ ସମ୍ବଳ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ବିଶ୍ୱର ୪୬ ପ୍ରତିଶତ ବାସ୍ତବିକ ଡିଜିଟାଲ କାରବାର ଭାରତରେ ହେଉଛି । ଭାରତ ନିଜର ଲୋକଙ୍କୁ କେବେ ବି ବିପଦରେ ଦେଖିବାକୁ ଚାହେଁନି । ଆମେ ପ୍ରାଥମିକତା ଆଧାରରେ ସୁଦାନ ଠାରୁ ଆରମ୍ଭ କରି ୟୁକ୍ରେନ ଏବଂ ଆଫଗାନିସ୍ତାନ ଠାରୁ ଆରମ୍ଭ କରି ଇରାକ ପର୍ଯ୍ୟନ୍ତ ଲୋକମାନଙ୍କୁ ଉଦ୍ଧାର କରିଛୁ । ବିଦେଶରେ ବସବାସ କରୁଥିବା ଭାରତୀୟ ଆମ ପାଇଁ ଦେଶରେ ବସବାସ କରୁଥିବା ଭାରତୀୟ ଭଳି ସମାନ । ଯେଉଁ ଭାରତୀୟ ଛାତ୍ରଛାତ୍ରୀମାନେ ଫ୍ରାନ୍ସରେ ପଢ଼ିବେ ସେମାନଙ୍କୁ ୫ ବର୍ଷର ଭିସା ଦିଆଯିବ ବୋଲି ମୋଦି କହିଥିଲେ । ଏଥିସହ ସେ ମାର୍ଶେଲି ଠାରେ ଫ୍ରାନ୍ସ ସରକାରଙ୍କ ସହାୟତାରେ ଭାରତ ସରକାର ଏକ ନୂଆ କନସୁଲେଟ ଖୋଲିବେ ବୋଲି ଘୋଷଣା କରିଥିଲେ । ସେହିଭଳି ଫ୍ରାନ୍ସରେ ମଧ୍ୟ ମହାନ୍‌ ସନ୍ଥ ଥୁରୁବଲୁଭରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ମୋଦି କହିଥିଲେ ।

Related Posts