କାଶ୍ମୀରରେ ତ୍ରିରଙ୍ଗା ଉଡ଼ାଇ ଶେଷ ହେବ ଭାରତ ଯୋଡ଼ୋ ଯାତ୍ରା, ରାହୁଲଙ୍କ ସହ ସାମିଲ ହେବେ ଫାରୁକ ଓ ମହବୁବା

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ପରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ୯ ଦିନର ବିରତି ନେଇଛି। ଭାରତ ଯୋଡ଼ୋ ଯାତ୍ରା ଜାନୁଆରୀ ୩ ରୁ ପୁଣି ଆରମ୍ଭ ହୋଇ ଜାମ୍ମୁ କାଶ୍ମୀରରେ ଶେଷ ହେବ। ତେବେ ଯାତ୍ରାର ପ୍ରସ୍ତୁତିକୁ ନେଇ କଂଗ୍ରେସ ମହାସଚିବ ତଥା ପ୍ରଭାରୀ ସଙ୍ଗଠନ କେସି ବେଣୁଗୋପାଳ ଓ କଂଗ୍ରେସ ଜାମ୍ମୁ-କାଶ୍ମୀର ପ୍ରଭାରୀ ରଜନି ପାଟିଲ ସୋମବାର ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପରାମର୍ଶଦାତା କେବି ବାୟଜୁ ମଧ୍ୟ ରହିଥିଲେ।

ତେବେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ସାକ୍ଷାତ ପରେ କଂଗ୍ରେସ ନେତା ବେଣୁଗଗୋପାଳ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ଜାମ୍ମୁକାଶ୍ମୀରରେ ଶେଷ ହେବ। ଆମେ କାଶ୍ମୀରରେ ତ୍ରିରଙ୍ଗା ଉଡ଼ାଇବୁ। ଉପରାଜ୍ୟପାଳଙ୍କ ସହ ଆମେ ଏନେଇ ଆଲୋଚନା କରିଛୁ, ସେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଣୁଗୋପାଳ କହିଛନ୍ତି। ତେବେ କାଶ୍ମୀରରେ ଭାରତ ଯୋଡ଼ୋ ଯାତ୍ରା ପହଞ୍ଚିବା ପରେ ଏହି ପଦଯାତ୍ରାରେ ନ୍ୟାସନାଲ କନଫ୍ରେନ୍ସର ନେତା ଫାରୁକ ଅବ୍ଦୁଲା, ଉମର ଅବ୍ଦୁଲ, ପିଡିପି ଅଧ୍ୟକ୍ଷ ମହବୁବା ମୁଫ୍‌ତି ଓ ସିପିଏମ ନେତା ମହମ୍ମଦ ୟୁସୁଫ ତାରିଗାମି ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।

ଏସବୁ ଭିତରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ଦଳର ମୁଖ୍ୟ ମହବୁବା ମୁଫ୍‌ତି ସୋମବାର କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ପ୍ରସଂଶା କରିଥିଲେ। ମହବୁବା ମୁଫ୍‌ତି ଭାରତୀୟ ଜନତା ପାର୍ଟି (ବିଜେପି)କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଜନ ଅଭିଯାନ ଆରମ୍ଭ କରିଥିବାରୁ ରାହୁଲ ଗାନ୍ଧୀଙ୍କୁ ସଲାମ। ସେ ଦେଶର ସଂକୃତି ଓ ଭାଇଚାରା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ରାହୁଲ ଏହି ଦେଶକୁ ଏକାଠି କରିବା ପାଇଁ ଓ ମଜବୁତ କରିବା ପାଇଁ ଆଗକୁ ବଢ଼ୁଛନ୍ତି ବୋଲି ମେହବୁବା କହିଛନ୍ତି।

Related Posts