ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳ। ଦୃଷ୍ଟିହୀନ କ୍ରିକେଟ୍ ଟି-୨୦ ବିଶ୍ଵ କପ୍ର ଫାଇନାଲ୍ରେ ଭାରତ ବାଂଲାଦେଶକୁ ହରାଇ ତୃତୀୟ ଥର ପାଇଁ ଏହି ଟାଇଟଲ୍ ହତେଇଛି। ତେବେ ଏହା ଥିଲା ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ। ଅର୍ଥାତ୍ ଆୟୋଜିତ ହୋଇଥିବା ୩ଟି ଯାକ ଦୃଷ୍ଟିହୀନ ଟି-୨୦ ବିଶ୍ଵ କପ୍ର ବିଜେତା ହୋଇଛି ଟିମ୍ ଇଣ୍ଡିଆ। ତେବେ ଆଜିର ଫାଇନାଲ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ଓ୍ଵିକେଟ୍ ହରାଇ ୨୭୭ ରନ କରିଥିଲା।
ସୁନୀଲ ରମେଶ ୬୩ ବଲ୍ରୁ ଅପରାଜିତ ୧୩୬ ରନର ଦମଦାର ଇନିଂସ ଖେଳିଥିଲେ। ଅଜୟ ରେଡ୍ଡୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୦ ବଲ୍ରୁ ୧୦୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଜବାବରେ ବାଂଲାଦେଶ ୩ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଆଉ ଫାଇନାଲ୍ ମୁକାବିଲାକୁ ଭାରତ ୧୫୭ ରନରେ ଜିତି ନେଇଛି।
ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା। ଭିସା ନମିଳିବା କାରଣରୁ ପାକିସ୍ତାନ ଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିନଥିଲା। ଏହା ପୂର୍ବରୁ ଭାରତ ୨୦୧୨ ଏବଂ ୨୦୧୭ରେ ଚାମ୍ପିଅନ ହୋଇଥିଲା। ଆଜିର ମ୍ୟାଚ୍ରେ ଅପରାଜିତ ୧୩୬ ରନ କରିଥିବା ସୁନୀଲ ରମେଶ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଶତକ ଅର୍ଜନ କରିଥିଲେ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାତୀୟ ପୁରୁଷ ଦଳ ଏବଂ ମହିଳା ଦଳଙ୍କ ଟି-୨୦ ବିଶ୍ଵ କପ୍ରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। କିନ୍ତୁ ୧୯ବର୍ଷରୁ କମ ଦଳ ବିଶ୍ଵ କପ୍ ଜିତିବାରେ ସଫଳ ହୋଇଥିଲା। ଏହାପରେ ଦୃଷ୍ଟିହୀନ କ୍ରିକେଟ୍ ଦଳ ଟି-୨୦ ବିଶ୍ଵ କପ୍ ଜିତିବାରେ ସଫଳ ହୋଇଛି।





