ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯୋଡିହେବ ଭାରତ, ଜିତିବ ଇଣ୍ଡିଆ । ଆଜି ମୁମ୍ବାଇରେ ବସିଥିବା ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଏହି ସ୍ଲୋଗାନ ଘୋଷଣା ହୋଇଛି। ଏଥିସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ବିଶାଳ ରାଲି କରିବ ଇଣ୍ଡିଆ ମେଣ୍ଟ । ଏନେଇ ନିଷ୍ପତ୍ତିି ହୋଇଛି । ଦଳ ଦଳ ମଧ୍ୟରେ ତାଳମେଳ ରଖିବାକୁ ୧୪ ଜଣିଆ ସମନ୍ୱୟ କମିଟି ଗଠନ ହୋଇଛି । ଯେଉଁଥିରେ ମେଣ୍ଟରେ ସାମିଲ ହୋଇଥିବା ୧୪ ଦଳର ନେତାଙ୍କୁ ସାମିଲ କରାଯାଇଛି ।
କଂଗ୍ରେସରୁ କେସି ବେଣୁଗୋପାଳ, ଏନସିପିରୁ ଶରଦ ପାୱାର, ଆରଜେଡିରୁ ତେଜସ୍ୱୀ ଯାଦବ, ନ୍ୟାସନାଲ କନଫରେନସରୁ ଓମାର ଅବଦୁଲ୍ଲା, ପିଡିପିରୁ ମେହବୁବା ମୁଫତି, ଡିଏମକେରୁ ଏମ.କେ ଷ୍ଟାଲିନ୍, ଶିବସେନା ଉଦ୍ଧବ ଗୋଷ୍ଠୀରୁ ସଂଞ୍ଜୟ ରାଉତ, ଜେଡିୟରୁ ଲଲନ ସିଂହ, ଆମ ଆଦମୀ ପାର୍ଟିରୁ ରାଘବ ଚଢା, ଝାଡଖଣ୍ଡ ମୁକ୍ତି ମୋର୍ଚାରୁ ହେମନ୍ତ ସୋରେନ, ସମାଜବାଦୀ ପାର୍ଟିରୁ ଜାଭେଦ ଖାନ୍, ଟିଏମସିରୁ ଅଭିଷେକ ବାନାର୍ଜୀ , ସିପିଆଇରୁ ଡି. ରାଜା ପ୍ରମୁଖ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମେ ଏହି ମେଣ୍ଟରେ ନୀତୀଶ, ନହେଲେ ପାୱାରଙ୍କ ଭଳି ନେତାଙ୍କୁ ଆବାହକ କରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଯାଏଁ ଆବାହାକ କିଏ ହେବେ ସ୍ପଷ୍ଟ ହୋଇନି । କିନ୍ତୁ ତାଳମେଳ ରଖିବାକୁ ୧୩ ଜଣିଆ କମିଟି ଗଠନ ହୋଇଛି । ଏପରି କରି ଦଳରେ ମତଭେଦ ଆଶଙ୍କାକୁ ଏଡାଇବାକୁ ପ୍ରୟାସ ହୋଇଛି ।
ଅନ୍ୟପଟେ ଯେଉଁ ନାରା ଦିଆଯାଇଛି ତାହା ଶାସକ ଦଳ ତଥା ମୋଦୀ ସରକାର ପ୍ରତି ଏକ ପ୍ରକାର କଟାକ୍ଷ । କାରଣ ବିରୋଧୀ ଶିବିର ସବୁବେଳେ କହି ଆସୁଛନ୍ତି ଯେ, ମୋଦି ସରକାର ଦେଶରେ ବିଭାଜନକୁ ଗୁରୁତ୍ୱ ଦେଉଛି । ଦେଶକୁ ବିଭାଜନ କରିବାକୁ ପ୍ରୟାସ କରୁଛି । ତେଣୁ ଏହାକୁ କାଉଂଟର କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କରିଥିଲେ । ଆଉ ଏବେ ଯୋଡିହେବ ଭାରତ, ଜିତିବ ଇଣ୍ଡିଆ ନାରା ଶାସକ ଦଳ ପ୍ରତି ଏକ ପ୍ରକାର କଟାକ୍ଷ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।





