ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ନ୍ୟୁଜିଲାଣ୍ଡର ନାପିଏରଠାରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟି-୨୦ ବର୍ଷା କାରଣରୁ ଡ୍ର ହୋଇଛି । ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି । ୩ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ ରେ ପ୍ରଥମ ମ୍ୟାଚ୍ ଟି ବର୍ଷା ଯୋଗୁ ଧୋଇଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚଟି ଭାରତ ଜିତିଥିଲା । ତେବେ ଆଜିର ତୃତୀୟ ମ୍ୟାଚ୍ ଅଧାରୁ ବର୍ଷା ହେବାରୁ ଆଉ ଖେଳ ସମ୍ଭବ ହୋଇ ନଥିଲା। ଫଳରେ ଏହାକୁ ଡ୍ର ଘୋଷଣା କରାଯାଇଥିଲା।
ତେବେ ମଙ୍ଗଳବାରର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା ।ଦଳ ପକ୍ଷରୁ ଡେଓ୍ବନ କନଓ୍ବେ ୫୯ ରନ ଓ ଗ୍ଲେନ ଫିଲିପ୍ସ ୫୪ ରନ କରିଥିଲେ । ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ମହମ୍ମଦ ସିରାଜ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
୧୬୧ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ୯ ଓଭର ଖେଳି ୪ ଓ୍ବିକେଟ ହରାଇ ୭୫ ରନ କରିଥିବାବେଳେ ବର୍ଷା ହୋଇଥିଲା । ଏହା ପରେ ମ୍ୟାଚକୁ ଅମିମାଂସିତ ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୦ ରନ କରିଥିଲେ ।
ନ୍ୟୁଜିଲାଣ୍ଡ-ଭାରତ ସିରିଜର ପ୍ରଥମ ଟି-୨୦ ମଧ୍ୟ ବର୍ଷା କାରଣରୁ ବାତିଲ ହୋଇଥିଲା । ୨ୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୬୫ ରନରେ ପରାସ୍ତ କରିଥିଲା । ଏହିପରିଭାବେ ଭାରତ ସିରିଜକୁ ୧-୦ରେ ଜିତିନେଇଛି ।ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୩ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିବ । ପ୍ରଥମ ଦିନିକିଆ ଆସନ୍ତା ଶୁକ୍ରବାରଦିନ (୨୫ ନଭେମ୍ବର) ଦିନ ଖେଳାଯିବ ।





