ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ସଂସଦ ମୌସୁମୀ ଅଧିବେଶନର ଆଜି ହେଉଛି ଷଷ୍ଠ ଦିନ । ଆଉ ମୌସୁମୀ ଅଧିବେଶନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଗୃହରେ ମଣିପୁର ହିଂସାର ତାତି ଦେଖିବାକୁ ମିଳିଛି । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ସରକାରକୁ ଟାର୍ଗେଟ କରୁଥିବାବେଳେ, ଗୁରୁବାର ବିରୋଧୀଙ୍କ ମେଣ୍ଟ ‘INDIA’ ତରଫରୁ ଏକ ବଡ ବୈଠକ ଡକାଯାଇଛି । ଏହି ବୈଠକରେ ବିରୋଧୀ ଦଳର ସାଂସଦମାନେ କଳା କପଡା ପିନ୍ଧି ପହଞ୍ଚିଥିବାବେଳେ, ଅନାସ୍ଥା ପ୍ରସ୍ତାବ ଏବଂ ମଣିପୁର ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି ।
ଗୁରୁବାର ଏହି ବୈଠକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ବରରେ ହେଇଛି । ଯେଉଠି କି ବିରୋଧୀ ଦଳର ନେତାମାନେ ଏକାଠି ହେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଖାଲି ସେତିକି ନୁହେଁ, ବିରୋଧୀ ସରକାର ଉପରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ମଧ୍ୟ ଚର୍ଚ୍ଚା ହେଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ୧୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ମଣିପୁର ହିଂସାକୁ ନେଇ ସଂସଦର ଉଭୟ ସଦନରେ ବିରୋଧୀଙ୍କ ହୋ ହଲ୍ଲା ଲାଗି ରହିଛି । ଏହି ମୁଦ୍ଦା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖନ୍ତୁ ବୋଲି ଦାବି କରିଆସୁଛନ୍ତି ବିରୋଧୀ । ଯେତେବେଳେ କି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସେ ବିରୋଧୀଙ୍କ ସହ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି ।
କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଲୋକସଭାରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଯାହାକୁ ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିନେଇଛନ୍ତି । ଏହି ପ୍ରସଙ୍ଗରେ ଆସନ୍ତା ସପ୍ତାହରେ ଚର୍ଚ୍ଚା ହୋଇପାରେ ବୋଲି ସୂଚନା ମିଳିଛି।





