ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ଭାରତରେ ବଢୁଛି ମୁସଲମାନମାନଙ୍କ ସଂଖ୍ୟା। ଏହାସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ମଧ୍ୟ ବଢୁଛି। ଭାରତରେ ମୁସଲିମମାନେ ଏକ ଆରାମଦାୟକ ଜୀବନ ବଞ୍ଚୁଥିବା ବେଳେ ପାକିସ୍ତାନର ମୁସଲମାନଙ୍କ ଅପେକ୍ଷା ସେମାନଙ୍କ ସ୍ଥିତି ଖୁବ୍ ଭଲ ରହିଛି। ପାକିସ୍ତାନ ଏକ ମୁସଲିମ୍ବହୁଳ ଦେଶ, ଏହା ସତ୍ତ୍ୱେ ଉକ୍ତ ଦେଶର ମୁସଲିମଙ୍କ ଅପେକ୍ଷା ଆମ ଦେଶର ମୁସଲିମ୍ ସମ୍ପ୍ରଦାୟ ଲୋକେ ଅଧିକ ପ୍ରଗତି କରୁଥିବା ବେଳେ ଭାରତରେ ପାକିସ୍ତାନ ଅପେକ୍ଷା ମୁସଲିମ ଅଧିକ ସୁରକ୍ଷିତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଭାରତରେ ମୁସଲିମ ଅଳ୍ପ ସଂଖ୍ୟକ ହୋଇଥିବା ବେଳେ ଆରାମଦାୟକ ଜୀବନ ବଞ୍ଚୁଛନ୍ତି ହେଲେ ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବା ବେଳେ ସେଠାରେ ସେମାନଙ୍କ ଜୀବନକୁ ନର୍କ କରି ଦିଆଯାଉଛି। ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ବେଳେ ଭାରତର ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। ୱାଶିଂଟନ ଡିସିରେ ଇନଷ୍ଟିଚ୍ୟୁଟ ଫର ଇଣ୍ଟର ନ୍ୟାସନାଲ ଇକୋନମିକ୍ସ ଶୀର୍ଷକ ଆଲୋଚନାରେ ଭାଗ ନେଇ ସମାଲୋଚକଙ୍କୁ ଏପରି କଡ଼ା ଜବାବ ଦେଇଛନ୍ତି ସୀତାରମଣ । ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବିକାଶ ଉପରେ ହୋଇଥିବା ଏହି ଆଲୋଚନାଚକ୍ରରେ ଭାରତର ଅପପ୍ରଚାର କରୁଥିବା ଲୋକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ସୀତାରମଣ ।
ସବୁ ପ୍ରକାର ଅକୁକୂଳ ସ୍ଥିତି ଥିବା ସତ୍ତ୍ୱେ ଭାରତରେ ବିଦେଶୀ ପୁଞ୍ଜି ନିବେଶ କାହିଁକି ପ୍ରଭାବିତ ହେଉଛି ବୋଲି ନିର୍ମଳା ସୀତାରମଣଙ୍କୁ ପଚରା ଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଯେଉଁମାନେ କେବେ ଦିନେ ବି ଭାରତରେ ଗ୍ରାଉଣ୍ଡ ଜିରୋକୁ ଯାଇ ନାହାନ୍ତି ଏପରି ଧାରଣା ସେମାନେ ହିଁ ପ୍ରଚାର କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଯେଉଁମାନେ ଭାରତରେ ନିବେଶ କରିଛନ୍ତି ସେମାନେ ଏହାର ସଠିକ୍ ଉତ୍ତର ଦେଇ ପାରିବେ ।ଏହାବାଦ ଯେଉଁମାନେ ଭାରତରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି, ସେମାନେ ଥରେ ଆସି ଭାରତରେ କ’ଣ ହେଉଛି ଦେଖିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ସୀତାରମଣ।
ଭାରତରେ ଥିବା ଅଳ୍ପସଂଖ୍ୟକ ମୁସଲିମ୍ ହିସାଂର ଶିକାର ହେଉଥିବା ପଶ୍ଚିମ ଗଣମାଧ୍ୟମରେ ପ୍ରସାରିତ ହେବା ଦ୍ୱାରା ଭାରତର ଛବି ମଳିନ ପଡ଼ୁଛି। ଏହା ଠିକ୍ ନୁହେଁ। ପ୍ରଚାର କରାଯାଉଛି ଯେ, ୨୦୧୪ ପରେ ଭାରତରେ ମୁସଲିମ ଅସୁରକ୍ଷିତ ହୋଇ ପଡିଛନ୍ତି। ଯେଉଁମାନେ ଏଭଳି କରୁଛନ୍ତି ସେମାନେ ଥରେ ଭାରତରେ ଗ୍ରାଉଣ୍ଡ ଜିରୋ କୁ ଯାଇ ତଦାରଖ କରନ୍ତୁ। ସେମାନଙ୍କୁ ଠିକ୍ ଉତ୍ତର ମିଳିଯିବ। ସୀତାରମଣ ଆହୁରି କହିଛନ୍ତି, ଦୁନିଆର ମୁସଲିମ ବହୁଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଯଦି ଭାରତରେ ସେମାନଙ୍କୁ ଅତ୍ୟାଚାର କରାଯାଉଛି ତେବେ ସେମାନଙ୍କ ଜନସଂଖ୍ୟା କିପରି ଉପରମୁହାଁ ହୋଇ ରହିଛି।
ଅପରପକ୍ଷେ, ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା ଦିନକୁ ଦିନ କମି ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେଉଛି। ଏପରିକି ଯେକୌଣସି ମାମଲାର ଉପଯୁକ୍ତ ଯାଞ୍ଚ କରା ନ ଯାଇ ପୀଡ଼ିତାଙ୍କୁ ହିଁ ଦୋଷୀ ବୋଲି ଧରି ଦଣ୍ଡ ବିଧାନ କରି ଦିଆଯାଉଛି। ମୁଁ ସବୁବେଳେ ପାକିସ୍ତାନ ନାଁ ଧରୁଥିବାରୁ ଏହାକୁ ବହୁତ ଲୋକ ପସନ୍ଦ କରି ନ ଥାନ୍ତି ବୋଲି କହିଛନ୍ତି ସୀତାରମଣ।
ହେଲେ ଏହା ପଛର କାରଣ କହିବାକୁ ଯାଇ ସେ କହିଛନ୍ତି, ସ୍ୱାଧୀନତା ପରେ ଭାରତ ଓ ପାକିସ୍ତାନ ୨ଟି ଦେଶ ହୋଇଥିଲେ। ପାକିସ୍ତାନ ନିଜକୁ ଏକ ଇସଲାମିକ ଦେଶ ବୋଲି ଘୋଷଣା କରିଥିବା ବେଳେ ସେଠାରେ ଅଳ୍ପ ସଂଖ୍ୟକଙ୍କ ସ୍ୱାର୍ଥ ରକ୍ଷା କରାଯିବ ବୋଲି କହିଥିଲା। ମାତ୍ର ଏବେ ସେଠାରେ ଅଳ୍ପ ସଂଖ୍ୟକଙ୍କ ସଂଖ୍ୟା କମି କମି ଚାଲିଥିବା ବେଳେ ମୁସଲମାନେ ମଧ୍ୟ ଦୟନୀୟ ଭାବେ ଜୀବନ ବଞ୍ଚୁଛନ୍ତି। ଏପରିକି ସେଠାରେ କିଛି ମୁସଲିମ୍ ସମ୍ପ୍ରଦାୟ ବି ଶେଷ ହେବାକୁ ବସିଲାଣି। ମାତ୍ର ଭାରତରେ ଥିବା ମୁସଲମାନ ସମ୍ପ୍ରଦାୟ ଲୋକେ ବହୁତ ଭଲ ଜୀବନଯାପନ କରୁଛନ୍ତି। ସେମାନଙ୍କ ମନ ପସନ୍ଦର ବ୍ୟବସାୟ କରି ଅର୍ଥ ଉପାର୍ଜନ କରୁଛନ୍ତି। ସେମାନଙ୍କ ଆଗାମୀ ପୀଢ଼ୀ ଶିକ୍ଷିତ ହେଉଥିବା ବେଳେ ସରକାରର ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଚାଲିଛନ୍ତି। ଭାରତରେ ମୁସଲମାନମାନଙ୍କ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହେଉଥିବାବେଳେ ସେମାନେ ସବୁଠାରୁ ସୁରକ୍ଷିତ ବୋଲି ନିର୍ମଳା କହିଛନ୍ତି।





