ଭୁବନେଶ୍ୱର,୧୯/୬(ସତ୍ୟପାଠ ବ୍ୟୁରୋ): କାନାଡ଼ାରେ ଭାରତର ମୋଷ୍ଟ ୱାଣ୍ଟେଡ ତଥା ପ୍ରମୁଖ ଖଲିସ୍ତାନୀ ନେତା ହର୍ଦ୍ଦିକ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କାନାଡାର ସରେ ରେ ଥିବା ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣକାରୀ ନିଜାରକୁ ଗୁଳିକରି ହତ୍ୟା କରିଛନ୍ତି। ହାର୍ଦ୍ଦିକ ସିଂ ନିଜାର ଗୁରୁ ନାନକ ଶିଖ ଗୁରୁଦ୍ୱାରର ଅଧ୍ୟକ୍ଷ ଏବଂ କାନାଡାର ଉଗ୍ରବାଦୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ) ର ମୁଖ୍ୟ ଚେହେରା ଥିଲେ।
ଶିଖ୍ ଫର୍ ଜଷ୍ଟିସ୍କୁ ନେଇ ଭାରତରେ ପ୍ରତିବନ୍ଧକ ଲାଗିଥିବା ବେଳେ ଅତୀତରେ କାନାଡାର ବ୍ରମ୍ପଟନ୍ ସହରରେ ଆୟୋଜିତ ଖାଲିସ୍ତାନ ଉପରେ ହୋଇଥିବା ଜନମତରେ ଶିଖ୍ ଫର ଜଷ୍ଟିସ୍ ସଂଗଠନର ହାତ ଥିଲା। ଦେଶରେ ଆକ୍ରମଣ ଷଡଯନ୍ତ୍ର ଅଭିଯୋଗରେ ଏନଆଇଏ ହାର୍ଦ୍ଦିକ ସିଂ ନିଜାର ବିରୋଧରେ ମାମଲା ରୁଜୁ କରିଥିଲା। ୨୦୨୨ ରେ, ଏନଆଇଏ ମଧ୍ୟ ନିଜାର ଉପରେ ୧୦ ଲକ୍ଷ ଟଙ୍କାର ମୁଣ୍ଡଜାମିନ ଘୋଷଣା କରିଥିଲା। ଭାରତ ସରକାର ମଧ୍ୟ ନିଜାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡା ସରକାରଙ୍କୁ ନିବେଦନ କରିଥିଲେ।
ସୂଚନାଥାଉକି, ଗତ ସପ୍ତାହରେ ଦୁଇ ବଡ଼ ଖାଲିସ୍ତାନୀ ନେତାଙ୍କ ମୃତ୍ୟୁ ହୋଇଛି। କିଛି ଦିନ ପୂର୍ବରୁ ବ୍ରିଟେନରେ ଅନ୍ୟ ଜଣେ ଖାଲିସ୍ତାନୀ ନେତା ଅବତାର ସିଂ ଖାଣ୍ଡାର ମୃତ୍ୟୁ ହୋଇଥିଲା। ଅବତାର ସିଂ ଖାଣ୍ଡା ଖାଲିସ୍ତାନ ମୁକ୍ତି ବାହିନୀର ବ୍ରିଟେନ ମୁଖ୍ୟ ଥିଲା। ଡାକ୍ତରୀ ରେକର୍ଡରୁ ଜଣାପଡିଛି ଯେ ଅବତାର ସିଂ ଖାଣ୍ଡା କର୍କଟ ରୋଗରେ ପୀଡିତ ଥିଲା।





