୩ୟ ଦିନିକିଆରେ ଭାରତର ଦମଦାର ବୋଲିଂ, ୯୯ ରନ୍ ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆରେ ଦୁଇଦଳ ମଧ୍ୟରେ ମୁକାବିଲା ଜାରି ରହିଛି। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟିଂ କରିଥିଲା। ମାତ୍ର ପୂର୍ବପରି ୨ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଜି ଧୂଆଁଧାର ବ୍ୟାଟିଂ କରିପାରି ନାହାନ୍ତି।

ଭାରତୀୟ ବୋଲରଙ୍କ ନିକଟରେ ହାର ମାନିଛନ୍ତି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ। ଦକ୍ଷିଣ ଆଫ୍ରିକା ଟିମର ସମସ୍ତ ଖେଳାଳି ମାତ୍ର ୯୯ ରନ୍‌ ସଂଗ୍ରହ କରିପାରିଛନ୍ତି। ପୂରା ଟିମ୍‌ ୨୭.୧ ଓଭରରେ ଅଲ୍‌ଆଉଟ୍‌ ହୋଇଛି। ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ଟି ୱିକେଟ୍‌ ମିଳିଛି। ୱାସିଂଟନ ସୁନ୍ଦର, ଆଭେସ ଖାନ ଓ ଶହବାଜ୍‌ ଅହମଦ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଦୀର୍ଘ ଦିନର ବ୍ୟବଧାନ ପରେ କୁଲଦୀପ ଯାଦବ ନିଜ କମାଲ ଦେଖାଇଛନ୍ତି। କୁଲଦୀପ ଯାଦବ ମାତ୍ର ୪.୧ ଓଭର ବୋଲିଂ କରି ୪ ୱିକେଟ ହାସଲ କରିଛନ୍ତି। ସେ ଗୋଟିଏ ମେଡେନ୍‌ ଓଭର ନେଇଥିଲା ବେଳେ ୧୮ ରନ୍‌ ଖର୍ଚ୍ଚ କରିଛନ୍ତି। ଆଭେସ୍‌ ଖାନ୍‌ ୫ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଛନ୍ତି। ସେ ମାତ୍ର ୮ ରନ୍‌ ଖର୍ଚ୍ଚ କରିଛନ୍ତି।ଦକ୍ଷିଣ ଆଫ୍ରିକା ପାଇଁ ହେନ୍‌ରିଚ୍‌ କ୍ଲାସେଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୪ ରନ୍‌ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍‌ ଖେଳି ୪ଟି ଚୌକା ମାରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ଜନେମ୍ୟାନ୍‌ ମଲାନ ୨୩ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୧୫ ରନ୍‌ ସଂଗ୍ରହ କରିଥିଲା ବେଳେ ମାର୍କୋ ଜନ୍‌ସେନ୍‌ ୧୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୪ ରନ୍‌ ଯୋଡ଼ିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

Related Posts