ଆମେରିକା–ଭାରତ ବାଣିଜ୍ୟ ଚୁକ୍ତିରେ ବ୍ରେକ୍: ତଦନ୍ତ ଓ ଶୁଳ୍କ ଧମକ ପରେ ପଛକୁ ହଟିଲା ଭାରତ

ନୂଆଦିଲ୍ଲୀ: ଆମେରିକା ସହ ବାଣିଜ୍ୟ ରାଜିନାମାକୁ ନେଇ ଗତ ମାସରେ ସହମତି ସୃଷ୍ଟି ହୋଇଥିଲେ ମଧ୍ୟ ନୂତନ ପରିସ୍ଥିତିରେ ଏହାକୁ ସ୍ଥଗିତ ରଖାଯାଇଛି। ଭାରତ ବିରୋଧରେ ଅନୁଚିତ ବାଣିଜ୍ୟ କାରବାର ଅଭିଯୋଗରେ ଆମେରିକା ତଦନ୍ତ ନିର୍ଦ୍ଦେଶ ଦେବା ସହ ଅଧିକ ଶୁଳ୍କ ଲଗାଇବା ଧମକ ଦେବା ପରେ କେନ୍ଦ୍ର ସରକାର ବାଣିଜ୍ୟ ଚୁକ୍ତିକୁ ନେଇ ନିଜ ମନ ବଦଳାଇଛନ୍ତି। ବର୍ତ୍ତମାନ ପାଇଁ ଭାରତ ଏହି ଚୁକ୍ତିରେ ସ୍ୱାକ୍ଷର କରିବ ନାହିଁ ଏବଂ ଏହାକୁ କିଛି ମାସ ପଛକୁ ଟାଳାଯାଇଛି।ଚଳିତ ବର୍ଷ ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି ନିଜ ରଣନୀତିରେ କୋହଳ ମନୋଭାବ ପ୍ରଦର୍ଶନ କରିଥିଲେ। ସେ ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ୧୮ ପ୍ରତିଶତକୁ କମାଇଥିଲେ ଏବଂ ରୁଷରୁ ତେଲ କିଣିବା ନେଇ ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଜରିମାନା ଶୁଳ୍କକୁ ମଧ୍ୟ ପ୍ରତ୍ୟାହାର କରିଥିଲେ। ଏହା ପରେ ଚଳିତ ମାସରେ ଦୁଇ ଦେଶ ମଧ୍ୟରେ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଓ ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ରାଜିନାମା ସ୍ୱାକ୍ଷର ହେବ ବୋଲି ଆଶା କରାଯାଉଥିଲା।କିନ୍ତୁ ଭାରତ ବିରୋଧରେ ଆମେରିକା ତଦନ୍ତ ଆରମ୍ଭ କରିବା ପରେ ସମସ୍ତ ଗଣନା ବଦଳିଯାଇଛି। ସରକାର ଏବେ ସ୍ଥିତିକୁ ଧ୍ୟାନରେ ରଖି ଚୁକ୍ତି ସ୍ୱାକ୍ଷରକୁ କିଛି ମାସ ପଛକୁ ଟାଳିଦେଇଛନ୍ତି।ଗତ ମାସରେ ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଲଗାଇଥିବା କିଛି ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଦିଗହରା ହୋଇପଡ଼ିଥିଲା। ସେହି ଘଟଣା ପରଠାରୁ ଦୁଇ ଦେଶ ମଧ୍ୟରେ କୌଣସି ବଡ଼ ମାପର ଆଲୋଚନା ହୋଇନାହିଁ। ତଥାପି ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ରୁଷରୁ ତେଲ କିଣିବା ପାଇଁ ଆମେରିକା ଭାରତକୁ ୩୦ ଦିନର ଆଶ୍ୱସ୍ତି ଦେଇଛି।ଭାରତର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆମେରିକା ସୁପ୍ରିମକୋର୍ଟ ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ଯେଉଁ ବାଣିଜ୍ୟ ରାଜିନାମାଗୁଡ଼ିକ ଅଟକି ରହିଛି ସେଗୁଡ଼ିକୁ ଶୀଘ୍ର ସମାପ୍ତ କରାଇବା ପାଇଁ ଚାପ କୌଶଳ ଭାବେ ଆମେରିକା ଏହି ତଦନ୍ତ ଆରମ୍ଭ କରିଥିବା ସମ୍ଭାବନା ରହିଛି। ତେଣୁ ସ୍ଥିତି କେଉଁ ଦିଗକୁ ଗତି କରୁଛି ତାହା ଉପରେ ଭାରତ ସତର୍କ ନଜର ରଖିଛି।ଟ୍ରମ୍ପଙ୍କ ପାଖରେ ଶୁଳ୍କ ଲାଗୁ କରିବାର ଅନେକ ଉପାୟଅନ୍ୟପକ୍ଷରେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ଶୁଳ୍କ ଲାଗୁ କରିବା ପାଇଁ ଅନେକ ଉପକରଣ ରହିଛି। ସେଥିରୁ ଗୋଟିଏ ହେଉଛି ‘ଧାରା ୩୦୧’। ଯେଉଁ ଦେଶମାନଙ୍କ ସହ ଆମେ ଚୁକ୍ତି କରିଛୁ, ସେମାନେ ତାହାକୁ ସମ୍ମାନ କରିବେ ବୋଲି ଆମେ ଆଶା କରୁଛୁ। ଭାରତ ମଧ୍ୟ ଏହି ଚୁକ୍ତିକୁ ସମ୍ମାନ ଦେବ, କାରଣ ଏହା ଉଭୟ ଦେଶ ପାଇଁ ଏକ ‘ବିଜୟ–ବିଜୟ’ ପରିସ୍ଥିତି ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି।

Related Posts