ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୭ ରେକର୍ଡ, ସୁନାମୀ ଆଲର୍ଟ ଜାରି

ଭୁବନେଶ୍ୱର,୧୦/୧(ସତ୍ୟପାଠ ବ୍ୟୁରୋ): ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ବିଳମ୍ବିତ ରାତିରେ ଇଣ୍ଡୋନେସିଆର ତୁଆଲ କ୍ଷେତ୍ରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି।

ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।ସ୍ଥାନୀୟ ସମୟ ୨.୪୭ ମିନିଟ୍‌ରେ ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୩୪୨ କିଲୋମିଟର ଗଭୀରତାରେ ରହିଛି।

ଆଇଏମ୍‌ଏସ୍‌ସିର କହିବା ମୁତାବକ, ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ୨୦୦୦ କିଲୋମିଟରରୁ ବି ଅଧିକ ଦୂରତା ଯାଏଁ ଅନୁଭବ ହୋଇଥିଲା। ଅଷ୍ଟ୍ରେଲିଆ, ଇଷ୍ଟ ତିମୋର ଲେସ୍ତୋ ଓ ଇଣ୍ଡୋନେସିଆର ପ୍ରାୟ ୧.୪ କୋଟି ଲୋକ ଭୂମିକମ୍ପର ଝଟ୍‌କା ଅନୁଭବ କରିଛନ୍ତି। ଏହାପରେ ଲୋକଙ୍କ ଆତଙ୍କ ଖେଳିଯାଇଛି । ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲିଆସିଛନ୍ତି।

୭.୭ ତୀବ୍ରତାର ଏହି ଭୂମିକମ୍ପକୁ ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଉଛି । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ଲାଗି କେତେ କ୍ଷୟକ୍ଷତି ହୋଇଛି ସେ ନେଇ ସଠିକ୍ ଆକଳନ କରାଯାଇନାହିଁ।

Related Posts