ଇସ୍ରୋର ସୂଚନା: ଅଗଷ୍ଟ ୨୩ ସଂଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏନେଇ ଟୁଇଟ କରି ସୂଚନା ଦେଇଛି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ଇସ୍ରୋ । ଗତକାଲି ରାତି ଗୋଟାଏ ୫୦ ମିନିଟରେ ଚନ୍ଦ୍ରଯାନ-୩ ଚୂଡାନ୍ତ କକ୍ଷପଥ ପରିବର୍ତନ କରିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ରହି ପରିକ୍ରମଣ କରୁଛି ।

ଚନ୍ଦ୍ରଯାନ-୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଞ୍ଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।

Related Posts