ଭୁବନେଶ୍ୱର, ୧୫ ମାର୍ଚ୍ଚ:ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିକ ପରିବେଶ ତୀବ୍ର ହୋଇଯାଇଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଓ ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ବିଜେପି ଉପରେ ଘୋଡ଼ା ବେପାର ଓ ରାଜନୀତିକ ଦୁର୍ନୀତିର ଗୁରୁତର ଅଭିଯୋଗ ଉଠାଇଛନ୍ତି।ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି ଯେ, ବିଧାୟକ ସଂଖ୍ୟା ଦୃଷ୍ଟିରୁ ବିଜେପି ଦୁଇଜଣ ଓ ବିଜେଡି ଜଣେ ପ୍ରାର୍ଥୀ ଦେବାକୁ ଯୋଗ୍ୟ ଥିଲେ। କଂଗ୍ରେସ ଓ ବିଜେଡି ମିଳିତ ଭାବେ ଏକ ସମଭାବାପନ୍ନ ଓ ଅଣରାଜନୈତିକ ବ୍ୟକ୍ତିତ୍ୱ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଥିଲେ। ସଂଖ୍ୟା ଦୃଷ୍ଟିରୁ ସେ ନିର୍ଦ୍ୱନ୍ଦରେ ଜିତିପାରିଥାନ୍ତେ। କିନ୍ତୁ ବିଜେପି ପଞ୍ଚମ ପ୍ରାର୍ଥୀ ଦେଇ ଘୋଡ଼ା ବେପାରକୁ ଉତ୍ସାହିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଝାଡ଼ଖଣ୍ଡ କୋଇଲା ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷର କାରାଦଣ୍ଡ ପାଇଥିବା ସତ୍ୱେ ଏପରି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବା ବିଜେପିର ଦୁର୍ନୀତି ପ୍ରତି ଆଭିମୁଖ୍ୟକୁ ପ୍ରକାଶ କରୁଛି ବୋଲି ସେ କହିଛନ୍ତି।ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ଓ ବିଜେଡି ଧର୍ମନିରପେକ୍ଷ ଓ ସମଭାବାପନ୍ନ ଦଳ ଭାବେ ରାଜ୍ୟରେ ସ୍ୱଚ୍ଛ ରାଜନୀତି ପାଇଁ ମିଳିତ ପ୍ରାର୍ଥୀ ଦେଇଛନ୍ତି। କିନ୍ତୁ ବିଜେପି ଓଡ଼ିଶା ରାଜନୀତିକୁ କଳୁଷିତ କରିବାକୁ ଚେଷ୍ଟା କରୁଛି।ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର କିଛି ବିଧାୟକ ବେଙ୍ଗାଲୁରୁରେ ରହୁଥିବା ସମୟରେ କିଛି ବିଜେପି ସମ୍ପର୍କିତ ବ୍ୟକ୍ତି ସେମାନଙ୍କୁ ପ୍ରଲୋଭନ ଦେବାକୁ ଚେଷ୍ଟା କରିଥିଲେ। ପୁଲିସ ଦୁଇଜଣଙ୍କୁ ଧରିଥିବାବେଳେ ତାଙ୍କ ପାଖରୁ ଏକ ବ୍ଲାଙ୍କ ଚେକ ଓ ୧୭ ଲକ୍ଷ ଟଙ୍କା ଲେଖା ଥିବା ଅନ୍ୟ ଏକ ଚେକ ଜବତ ହୋଇଛି।ଅନ୍ୟପଟେ, କଂଗ୍ରେସ ବିଧାୟକ ଦାସରଥି ଗମାଙ୍ଗୋ ଗତ ୭ ତାରିଖ ଠାରୁ ଦଳ ସହ ଯୋଗାଯୋଗରେ ନଥିବା ନେଇ ଦଳ ଚିନ୍ତା ପ୍ରକାଶ କରିଛି। ଦଳ ପକ୍ଷରୁ ସେମାନଙ୍କୁ ୧୫ ମାର୍ଚ୍ଚ ସନ୍ଧ୍ୟା ୭ଟା ସୁଦ୍ଧା କଂଗ୍ରେସ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଯଦି ସେ ଏହାର ଉତ୍ତର ନଦେଇଥିବେ, ତେବେ ତାଙ୍କ କଂଗ୍ରେସ ସଦସ୍ୟତା ବାତିଲ ସହ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଦଳ ଚେତାବନୀ ଦେଇଛି।କଂଗ୍ରେସ ଦଳର ଦାବି ଅନୁଯାୟୀ, ସମସ୍ତ ବିଧାୟକ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ ବୋଲି ଦଳ ଆଶା ପ୍ରକାଶ କରିଛି।





