ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ନୟାଗଡ଼ ଓ କଟକରେ ନୂଆ ପୁଲିସ ଏସପିଙ୍କ ନିଯୁକ୍ତି ସମେତ ମୋଟ ୬ଜଣ ପୁଲିସ ଅଫିସର(୫ ଆଇପିଏସ୍ ଓ ଜଣେ ଓପିଏସ)ଙ୍କ ବଦଳି ହୋଇଛି ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ.ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଂଚ ଆଇଜି ଭାବେ ବଦଳି କରାଯାଇଛି । ସଫିନ ଏବେ ଏଚଆରପିସି ଆଇଜି ଅଛନ୍ତି । ସେହିପରି ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଡିଆଇଜି ୨୦୦୭ ବ୍ୟାଚ୍ ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଡିଆଇଜି ଭାବେ ବଦଳି ହୋଇଛି । କମ୍ପ୍ୟୁଟର ଡିଆଇଜି ଥିବା ୨୦୦୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ନାଏକଙ୍କୁ ଏଚଆରପିସି ଡିଆଇଜି , କଟକ ଏସପି(ଗ୍ରାମାଂଚଳ) ଥିବା ୨୦୧୧ ବ୍ୟାଚ୍ ଆଇପିଏସ୍ ଯୁଗଳ କିଶୋର କୁମାର ବୋନଥଙ୍କୁ ପୁଲିସ ମୁଖ୍ୟାଳୟ ଅତିରିକ୍ତ ଆଇଜି ଭାବେ ବଦଳି କରାଯାଇଛି ।
ସେହିପରି ୨୦୧୫ ବ୍ୟାଚ୍ ଆଇପିଏସ୍ ରାହୁଲ ଜୈନଙ୍କୁ ନୟାଗଡ଼ ପୁଲିସ ଏସପି ଭାବେ ବଦଳି କରାଯାଇଛି । ଶ୍ରୀ ଜୈନ ଏବେ ମୁଖ୍ୟାଳୟ ଏସପି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବରିଷ୍ଠ ଓପିଏସ୍ ମିହିର କୁମାର ପଣ୍ଡାଙ୍କୁ କଟକ ଏସପି ଭାବେ ବଦଳି ହୋଇଛି । ଶ୍ରୀ ପଣ୍ଡା ଏବେ ଭୁବନେଶ୍ୱର କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ୍ ଡିସିପି ଭାବେ କାର୍ଯ୍ୟରତ ଅଛନ୍ତି ।





