ଶଙ୍ଖ ଭବନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ: ବିଜେପି ସରକାରରେ ନେତୃତ୍ୱ ସଙ୍କଟ – ନବୀନ ପଟ୍ଟନାୟକ


ଭୁବନେଶ୍ୱର, ୮ ମାର୍ଚ୍ଚ:
ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ଏହି ସମାବେଶକୁ ଉଦଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟରେ ବିଜେପି ସରକାରକୁ ଆକ୍ରମଣ କରିଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାର ସମୟରେ ରାଜ୍ୟରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି ଓ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏହି ଘଟଣାଗୁଡିକୁ ନେଇ ଶୁଣିବାକୁ କେହି ନଥିବା ଦାବି କରି ସେ କ୍ଷୋଭ ପ୍ରକାଶ କରିଥିଲେ ଏବଂ “କେତେଦିନ ଏମିତି ଚାଲିବ” ବୋଲି ପ୍ରଶ୍ନ କରିଥିଲେ।
ସେ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ମହିଳାଙ୍କ ସମ୍ପୂର୍ଣ୍ଣ ସଶକ୍ତିକରଣରେ ବିଶ୍ୱାସ କରେ। ଅନ୍ୟ ଦଳମାନଙ୍କ ପରି ଲୋକଦେଖାଣିଆ କାମ ନୁହେଁ, ବରଂ ମହିଳାଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତିକରଣ ପାଇଁ ବିଜେଡି ପ୍ରତିବଦ୍ଧତାର ସହ କାମ କରୁଛି। ବିଜେଡି ସରକାର ସମୟରେ ମହିଳାଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ଉଲ୍ଲେଖ କରିଥିଲେ।
ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ସମାଜର ବୃହତ୍ତର ବିକାଶରେ ମହିଳାଙ୍କ ଭୂମିକାକୁ ବିଜୁ ପଟ୍ଟନାୟକ ଭଲ ଭାବରେ ବୁଝିଥିଲେ ଏବଂ ସେହି ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବରେ ବିଜୁବାବୁ ଦେଶରେ ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ ଥିଲେ ବୋଲି ସେ କହିଥିଲେ। ମହିଳାଙ୍କ ସଶକ୍ତିକରଣ ସହିତ ସେମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦା ରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ସେ ଜଣାଇଥିଲେ।
ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନାରୀ ନେତ୍ରୀମାନେ ମହିଳା ସଶକ୍ତିକରଣ ଓ ସମାଜରେ ମହିଳାଙ୍କ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ।

Related Posts