ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଚାଲିଥିବା ମନଇଛା ଲୁହାପଥର ଖଣି ଖନନ ଉପରେ ଲାଗିପାରେ ରୋକ | କର୍ଣ୍ଣାଟକ ଓ ଗୋଆ ଭଳି ଓଡ଼ିଶାରେ ମଧ୍ୟ ଲୁହାପଥର ଖଣି ଖନନ ଉପରେ ଅଙ୍କୁଶ ଲଗାଇବା ନେଇ ମତ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି | ଓଡ଼ିଶାରେ ଚାଲିଥିବା ମନ ଇଛା ଲୁହାପଥର ଖଣି ଖୋଳିବା ଉପରେ ରୋକ ଲଗାଇବା ପାଇଁ, ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି, ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧକ୍ଷତା ଗଠିତ ଏକ ଖଣ୍ଡପୀଠ, କାହିଁକି ଗୋଆ ଓ କର୍ଣ୍ଣାଟକ ଭଳି ଓଡ଼ିଶାରେ ମଧ୍ୟ ନିର୍ଦ୍ଧିଷ୍ଟ ପରିମାଣର ଲୁହାପଥର ଖନନ ନେଇ ରୋକ ଲଗାଯିବ ନାହିଁ ବୋଲି, 8 ସପ୍ତାହ ମଧ୍ୟରେ ମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି |
ସୀମିତ ପରିମାଣର ଗଛିତ ଲୁହାପଥରକୁ ଲକ୍ଷରେ ରଖି ଓଡ଼ିଶାରେ ଲୁହାପଥର ଖନନ ଉପରେ ରୋକ ଲଗାଯାଇ ପାରିବ କି ନାହିଁ, ଏନେଇ କମନ କଜ ନାମକ ଏକ ସ୍ବେଛାସେବୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରାଯାଇଛି | କାରଣ ଲୁହାପଥର ଏକ ସୀମିତ ସମ୍ବଳ ହୋଇଥିବାରୁ ମନ ଇଛା ଖନନ ଉପରେ ରୋକ ଲଗାଯାଇ ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ପରିମାଣର ଲୁହାପଥର ଖନନ ନେଇ ଏକ ଆଇନ ଅଣାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି |
ଏନଜିଓ କମନ କଜର ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରମକୋର୍ଟଂକ ସାମ୍ନାରେ ଯୁକ୍ତି ବାଢ଼ିଥିଲେ ଯେ, ବର୍ତ୍ତମାନ ଓଡ଼ିଶାରେ ମୋଟ 58 ଟି ଲିଜ ଧାରୀ ସଂସ୍ଥାଙ୍କ ଦ୍ୱାରା ବାର୍ଷିକ 227.13 ମିଲିୟନ ଟନ ଲୁହାପଥର ଖନନ ହେଉଛି | ଏହା ସରକାରୀ ତଥ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବେଆଇନ ଖନନ ଓ ଲୁହାପଥର ଚୋରିର ଅଭିଯୋଗ ଆସୁଛି | ବର୍ତ୍ତମାନ ଓଡ଼ିଶାରେ 4748.52 ମିଲିୟନ ଟନ ପରିମାଣର ଲୁହାପଥର ଗଛିତ ରହିଛି | ଆଉ ଯେଉଁ ପରିମାଣରେ ଏବେ ଖନନ ହଉଛି ସେଭଳି ଜାରି ରହିଲେ ଆସନ୍ତା 20 ବର୍ଷ ମଧ୍ୟରେ ରାଜ୍ୟରେ ଗଛିତ ଥିବା ସମସ୍ତ ଲୁହାପଥର ଶେଷ ହୋଇଯିବ | ତେଣୁ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ମନଇଛା ଲୁହାପଥର ଖନନ ଉପରେ ରୋକ ଲଗାଇବାର ଆବଶ୍ୟକତା ଅଛି ବୋଲି ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ |
ଅନ୍ୟପଟେ ଓଡିଶା ସାରାକରଂକ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ ମତ ରଖିଥିଲେ ଯେ, ଓଡ଼ିଶାରେ ଏବେ 9220 ମିଲିୟନ ଟନ ଲୁହାପଥର ଗଛିତ ରହିଛି | ଆଉ ନିୟମିତ ଭାବେ ଜାରି ରହିଥିବା ଅନ୍ୱେଷଣ ଯୋଗୁଁ ଗଛିତ ଲୁହାପଥରର ପରିମାଣ ବୃଦ୍ଧି ପାଇପାରେ ବୋଲି ସେ ସଫେଇ ଦେଇଥିଲେ |
ତେବେ ଏନଜିଓ କମନ କଜର ଓକିଲ ପ୍ରଶ୍ନ ଭୂଷଣଙ୍କ ଯୁକ୍ତିକୁ ବିଚାରକୁ ନେଇ ମାନ୍ୟବର ସୁପ୍ରରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ 8 ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି |





