ରାଜସ୍ଥାନ କଂଗ୍ରେସ କଳିର ଘଟିଲା କି ଅନ୍ତ ?; ଗେହଲଟଙ୍କ ପ୍ରତି ନରମିଲେ ପାଇଲଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଖେଇ ଆସୁଛି ରାଜସ୍ଥାନ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ ଶେଷ ହେବାଭଳି ଲାଗୁଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ କର୍ଣ୍ଣାଟକ ଫର୍ମୁଲା ରାଜସ୍ଥାନରେ କାମ ଦେଇଛି। ଦୀର୍ଘଦିନର କନ୍ଦଳ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପ୍ରତି ନରମିଲେ ପାଇଲଟ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଶୀତଳ ଯୁଦ୍ଧର ଅବସାନ ଘଟିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସଚିନ ପାଇଲଟ । ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ସାମୁହିକ ନେତୃତ୍ବ ଏକମାତ୍ର ମାଧ୍ୟମ । ଯାହା ହୋଇଛି ଭୁଲି ଯାଆନ୍ତୁ ଓ କ୍ଷମା କରି ଆଗକୁ ବଢନ୍ତୁ ବୋଲି ମୋତେ ଖଡଗେ ପରାମର୍ଶ ଦେଇଥିବା କହିଛନ୍ତି ପାଇଲଟ ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ଅଶୋକ ଗେହଲଟଜୀ ମୋ ଠାରୁ ବଡ, ତାଙ୍କର ମୋଠୁ ଅଧିକ ଅଭିଜ୍ଞତା ଅଛି । ତାଙ୍କ କାନ୍ଧରେ ବଡ ଦାୟିତ୍ବ ଅଛି । ଯେତେବେଳେ ମୁଁ ରାଜସ୍ଥାନ କଂଗ୍ରେସ ସଭାପତି ଥିଲି, ସେତେବେଳେ ସମସ୍ତଙ୍କୁ ସାଙ୍ଗରେ ନେବାକୁ ଚେଷ୍ଟା କରୁଥିଲି । ଆଜି ସେ ମୁଖ୍ୟମନ୍ତ୍ରୀ, ତେଣୁ ସେ ସମସ୍ତଙ୍କୁ ସାଙ୍ଗରେ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସଚିନ ପାଇଲଟ ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ।

”ଆମେ ଏକାଠି ନିର୍ବାଚନ ଲଢିବୁ । ଦଳ ରାଜ୍ୟରେ ନିର୍ବାଚନ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ପର ମୁହୁର୍ତ୍ତରେ ନିଷ୍ପତ୍ତି ନିଆଯିବ । ଯାହା ବି ଆମ ମଧ୍ୟରେ ବିବାଦ ରହିଛି ତାହା ଏକ ବଡ଼ ପ୍ରସଙ୍ଗ ନୁହେଁ, କାରଣ କୌଣସି ବ୍ୟକ୍ତିଙ୍କ ଠାରୁ ଦଳ ଓ ଜନସାଧାରଣ ଅଧିକ ଗୁରୁତ୍ବପୂର୍ଣ୍ଣ । ମୁଁ ଏହାକୁ ଭଲ ଭାବେ ବୁଝିଛି, ସେ ବି ବୁଝିଛନ୍ତି ।”

ପାଇଲଟ କହିଛନ୍ତି ଯେ, ମୋତେ ଖଡଗେ ବୁଝାଇଥିଲେ ସେ ସମୟ ଚାଲିଯାଇଛି, ତାହା ଫେରିବ ନାହିଁ । ଆଗକୁ ଅନେକ ଆହ୍ବାନ ସାମ୍ନାରେ ଅଛି । ମୁଁ ଏବେ ଆଗକୁ ବଢିବାରେ ବିଶ୍ବାସ ରଖେ । ନୂଆ ଆହ୍ବାନର ମୁକାବିଲା କରିବାକୁ ଚାହେଁ । ଦେଶକୁ କଂଗ୍ରେସର ଆବଶ୍ୟକତା ରହିଛି । ତେଣୁ ଭଲ ପ୍ରଦର୍ଶନ କରିବାର ଅଛି । ଆମକୁ ରାଜସ୍ଥାନବାସୀଙ୍କ ଆଶୀର୍ବାଦ ନେବାକୁ ପଡିବ । ଏଥିପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପଡିବ । ଯାହା ଜନସାଧାରଣ ଓ ଦଳୀୟ କର୍ମୀଙ୍କ ପାଇଁ ଗ୍ରହଣୀୟ ହେବ।

ତେବେ ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ଏକାଠି କରିବାରେ ସଫଳ ହୋଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଉ ଏବେ ରାଜସ୍ଥାନରେ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାରେ ଖଡଗେ ସଫଳ ହୋଇଥିବା କୁହାଯାଉଛି । ଏନେଇ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

Related Posts