ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ମିଶନ ମୁନ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା | ଆସନ୍ତାକାଲି ଇସ୍ରୋ ଦ୍ୱାରା ନିର୍ମିତ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟ୍ ରେ ଚନ୍ଦ୍ରରେ ଅବତରଣ କରିବ ବୋଲି ଇସ୍ରୋ ସୂଚନା ଦେଇଛି । ଏଥିପାଇଁ ଏବେ କାଉଣ୍ଟଡାଉନ ଆରମ୍ଭ ହୋଇଥିବାବେଳେ ଯଦି ଶେଷ ମୁହୂର୍ତ୍ତରେ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜେ ସେଥିପାଇଁ ବ୍ୟାକଅଫ ପ୍ଲାନ ପ୍ରସ୍ତୁତ କରିଛି ଇସ୍ରୋ |
ଇସ୍ରୋର ସ୍ପେସ ଆପ୍ଲିକେସନ ସେଂଟରର ନିର୍ଦ୍ଦେଶକ ନୀଲେଶ ଦେଶାଇ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବାର କାର୍ଯ୍ୟସୂଚୀ ରହିଛି । ହେଲେ ସ୍ଥିତିକୁ ଦେଖି ଶେଷ ମୁହୂର୍ତ୍ତରେ ଲାଣ୍ଡିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇପାରେ | ଯଦି ଲାଣ୍ଡିଂ ପାଇଁ ଅନୁକୁଳ ସ୍ଥିତି ନରୁହେ ତେବେ ଆସନ୍ତା ୨୭ ତାରିଖରେ ଚନ୍ଦ୍ରଯାନ-୩ର ସଫ୍ଟ ଲାଣ୍ଡିଂ କରାଯିବ ।
ପ୍ରଥମେ ସଫ୍ଟ ଲାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରାଯିବ | ଏହାସହିତ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାମ କରୁଛି ନାହିଁ ଅନୁଧ୍ୟାନ କରାଯିବ | ଚନ୍ଦ୍ରର ବାୟୁମଣ୍ଡଳ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଲ୍ୟାଣ୍ଡିଂ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ | ଏସବୁ ତଦାରଖ ସମୟରେ କୌଣସି ସମସ୍ୟା ଦେଖାଦେଲେ, ଲ୍ୟାଣ୍ଡିଂ ସ୍ଥଗିତ ରଖାଯିବ | ଲ୍ୟାଣ୍ଡିଂର ୨ ଘଂଟା ପୂର୍ବରୁ ଏନେଇ ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି |
ତେବେ ଚନ୍ଦ୍ରଯାନ-3 ଅବତରଣ ପାଇଁ ଆସନ୍ତାକାଲି ସଂଧ୍ୟାକୁ ସାରା ଦେଶ ଅପେକ୍ଷା କରିଛି। ଏହି ମିଶନ ସଫଳ ହେଲେ ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ଅବତରଣ କରିବ । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ ହେବ । ସେପଟେ ଏପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦ୍ରରେ ସଫ୍ଟ ଲାଣ୍ଡିଂ କରିନଥିବାବେଳେ ଚନ୍ଦ୍ରଯାନ-3 ସଫଳ ହେଲେ ସାରା ବିଶ୍ୱରେ ଇତିହାସ ରଚିବ ଇସ୍ରୋ |





