ପରିବାର ପାଇଁ ବଳିଦାନ ଦେଉଥିବା ସ୍ତ୍ରୀଙ୍କ ପରିଶ୍ରମକୁ ଅଣଦେଖା କରିବା ଭୁଲ୍: ଦିଲ୍ଲୀ ହାଇ କୋର୍ଟ


ନୂଆଦିଲ୍ଲୀ: ଗୃହିଣୀଙ୍କ ଘରୋଇ କାମକୁ ଅଦରକାରୀ ବୋଲି ମନେ କରାଯିବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଭରଣପୋଷଣ ନିର୍ଣ୍ଣୟ ସମୟରେ ସ୍ତ୍ରୀଙ୍କ ଘରେ କରୁଥିବା କଠିନ ପରିଶ୍ରମକୁ ବିଚାରକୁ ନେବା ଅତ୍ୟାବଶ୍ୟକ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।
ସ୍ୱାମୀ–ସ୍ତ୍ରୀଙ୍କ ମଧ୍ୟରେ ଜଡିତ ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ବେରୋଜଗାର ଥିବା ପତ୍ନୀଙ୍କୁ ‘ଅଦରକାରୀ’ ବୋଲି ଚିହ୍ନିତ କରିବା ଅନୁଚିତ। ଘର ଚାଲାଇବା, ପିଲାମାନଙ୍କ ଯତ୍ନ ନେବା ଓ ପରିବାର ପ୍ରତିପାଳନ କରିବା ଭଳି କାମଗୁଡ଼ିକ ଅତ୍ୟନ୍ତ କଷ୍ଟସାଧ୍ୟ। ଏହି କାମ ପାଇଁ ସେମାନେ କୌଣସି ଦରମା ପାଉନଥିବା ସତ୍ତ୍ୱେ, ସେଥିରେ ତାଙ୍କ ଅବଦାନ ଅପାର ଅଟେ।


କୋର୍ଟ ଆହୁରି କହିଛନ୍ତି ଯେ, ଘରେ ସ୍ତ୍ରୀଙ୍କ ନିରନ୍ତର ପରିଶ୍ରମ ରୋଜଗାରକ୍ଷମ ସ୍ୱାମୀଙ୍କୁ ତାଙ୍କ କ୍ୟାରିୟରରେ ଉନ୍ନତି କରିବାକୁ ସହଯୋଗ କରେ। ତେଣୁ ଭରଣପୋଷଣ ନିର୍ଦ୍ଧାରଣ ସମୟରେ ଏହାକୁ ଅଣଦେଖା କରିବା ଅବାସ୍ତବ ଓ ଅନ୍ୟାୟ ହେବ।


କେବଳ ଜଣେ ମହିଳା ଶିକ୍ଷିତ ଓ ରୋଜଗାର କରିବାକୁ ସକ୍ଷମ ହେବା ମାତ୍ରରେ ଭରଣପୋଷଣ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ମତ ପ୍ରକାଶ କରିଛନ୍ତି। ରୋଜଗାର କ୍ଷମତା ଓ ପ୍ରକୃତ ରୋଜଗାର — ଏହି ଦୁଇଟି ଆଇନ ଅନୁଯାୟୀ ଭିନ୍ନ ବିଷୟ ବୋଲି ରାୟରେ ଉଲ୍ଲେଖ ରହିଛି।
ଉକ୍ତ ମାମଲାରେ ଦମ୍ପତି ୨୦୧୨ ମସିହାରେ ବିବାହ କରିଥିଲେ। ୨୦୨୦ ମସିହାରେ ସ୍ୱାମୀ ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅଙ୍କୁ ପରିତ୍ୟାଗ କରିଥିବା ଅଭିଯୋଗ ଥିଲା। ନିମ୍ନ ଅଦାଲତ ମହିଳା ଶିକ୍ଷିତ ଥିବା ଦେଖି ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଦେବାକୁ ମନା କରିଥିଲେ।


ହେଲେ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରି, ପାରିବାରିକ ହିଂସାରୁ ମହିଳା ସୁରକ୍ଷା ଆଇନ ଅନୁଯାୟୀ ପୀଡିତାଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ରାୟକୁ ନାରୀ ଅଧିକାର ସୁରକ୍ଷା ପ୍ରତି ଏକ ମାଇଲସ୍ଟୋନ୍ ବୋଲି ଦେଖାଯାଉଛି।

Related Posts