ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ । ଆଜି ଓଡିଶା ଗସ୍ତ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ବଡ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ଓ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ଏହି ଟ୍ରେନ ଚାଲିବା ଦ୍ଵାରା ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ଓ ରାଜ୍ୟର ସଂସ୍କୃତି ବିଶ୍ୱସ୍ତରରେ ପହଞ୍ଚି ପାରିବ । ଏହି ଟ୍ରେନରେ ଓଡ଼ିଶାର ଭାଇଚାରା ଓ ଓଡ଼ିଆ ଖାଦ୍ୟ ପାଇବେ ଯାତ୍ରୀ । ଏହା ସହ ସେ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ଖୁବଶୀଘ୍ର ଓଡ଼ିଶାକୁ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏବେ ମାସକୁ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ କରାଯାଉଛି । ଜାନୁଆରୀ ଫେବ୍ରୁଆରୀ ସୁଦ୍ଧା ୪ରୁ ୫ଟି ଟ୍ରେନ୍ ନିର୍ମାଣ କରାଯିବ । ତେଣୁ ଖୁବଶୀଘ୍ର ଏହା ଓଡ଼ିଶାରେ ମଧ୍ୟ ଚାଲିବ ବୋଲି ସେ କହିଛନ୍ତି।
ତେବେ ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ଚାଲି ପାରିବ କି ନାହିଁ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ଟ୍ରେନ୍ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ପଠାଇ ନାହାନ୍ତି । ପ୍ରସ୍ତାବ ଦେଲେ ନିଶ୍ଚିତ ସହଯୋଗ କରାଯିବ । ଓଡ଼ିଶାରେ ମଧ୍ୟ ମେଟ୍ରୋ ଟ୍ରେନ୍ ଚାଲି ପାରିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ସହ ସେ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମିଳି ଫାଇଭ୍-ଜି । ୩ ମାସ ଭିତରେ ରାଜ୍ୟବାସୀ ଫାଇଭ୍-ଜି ସେବା ପାଇପାରିବେ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ, ଆଲୁମିନିୟମରେ ବିଶ୍ୱର ରାଜଧାନୀ ହୋଇପାରିବ ଓଡ଼ିଶା । ଏହା ସହ ଷ୍ଟିଲରେ ମଧ୍ୟ ଦେଶର ରାଜଧାନୀ ଓଡ଼ିଶା ହୋଇପାରିବ । ସାରା ଦେଶରେ ଶକ୍ତିର ଚାହିଦା ରହିଛି । ଆଗକୁ ମଧ୍ୟ ଆହୁରି ଚାହିଦା ବଢିବ । ଓଡ଼ିଶାରେ ଶକ୍ତି ଉତ୍ପାଦନ କରି ସାରା ଦେଶକୁ ଦେଇପାରିବା । ଆମେ ଯଦି ସଠିକ୍ ଯୋଜନାରେ କାମ କରିବା ତେବେ ଶକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ରାଜଧାନୀ ହୋଇପାରିବ । ଏହା ସହ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂର କ୍ୟାପିଟାଲ ମଧ୍ୟ ଓଡ଼ିଶା ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।





