ଭୁବନେଶ୍ୱର,୧୫/୧(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଯେଭଳି ସାରା ରାଜ୍ୟରେ ଅର୍ପଣ ରଥ ବୁଲାଯାଉଛି, ତାକୁ ଆଜି କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ସେ ଅଭିଯୋଗ କରିଛନ୍ତି, ଜଗନ୍ନାଥଙ୍କୁ ଭିକାରି ସଜେଇ ଦେଇଛନ୍ତି ରାଜ୍ୟ ସରକାର ।
ଯିଏ ସାରା ସଂସାରକୁ ଖାଦ୍ୟ ଯୋଗାଉଛି, ତାଙ୍କର ଏକ ସୋଲ ମୂର୍ତ୍ତି ଟ୍ରକରେ ବସାଇ ଚାଉଳ ମାଗୁଛନ୍ତି । ସେଇ ଚାଉଳକୁ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ । ବିଜୟ ପଟ୍ଟନାୟକ ଆହୁରି ଅଭିଯୋଗ କହିଛନ୍ତି-ବୋଧହୁଏ ଶ୍ରୀମନ୍ଦିର ଓ ମହାପ୍ରସାଦର ମାହ୍ୟତ୍ମ ଜାଣିନାହାନ୍ତି ରାଜ୍ୟ ସରକାର ।
ପୁରୀକୁ ପର୍ଯ୍ୟଟନସ୍ଥଳୀ ଭାବୁଛନ୍ତି । ମହାପ୍ରସାଦ ରେଷ୍ଟୁରାଣ୍ଟର ଖାଦ୍ୟ ନୁହେଁ ଯେ, ଗୋମାଂସ ଖାଉଥିବା କାମିଆ ଜାନିଙ୍କ ଜରିଆରେ ପ୍ରଚାର କରୁଛନ୍ତି ସରକାର । ଏହା ଧର୍ମୀୟ ଭାବନା ପ୍ରତି କୁଠାରଘାତ । ବିଜୟ ଆହୁରି କହିଛନ୍ତି, ପରିକ୍ରମା ପ୍ରକଳ୍ପ ନାଁରେ ସରକାର କେବଳ ୪ଟି ଶୌଚାଳୟ କରିଛନ୍ତି । ତା’ର ଉଦଘାଟନ ପାଇଁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିଛନ୍ତି । ତା’ ବଦଳରେ ମନ୍ଦିରର ଫାଟ କିପରି ମରାମତି କରାଯିବ, ରାଜ୍ୟ ସରକାର ସେ କଥା ଚିନ୍ତା କରନ୍ତୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ଏଥିସହିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଥିବାରୁ ମହାପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜୟ କହିଛନ୍ତି।





