ଜୟ ନାରାୟଣ କେବଳ ବିରୋଧୀ ଦଳ ନେତା ନୁହଁନ୍ତି, ସେ ଓଡିଶା ବିରୋଧୀ ନେତା: ଶ୍ରୀମୟୀ ମିଶ୍ର

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ରାଜ୍ୟ ପାଇଁ ଲଜ୍ଜ୍ୟାଜନକ ଖବର। ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ମାନସ ପୁତ୍ରଙ୍କ ଉପରେ ଯେଉଁ ଧାରଣା ସାଧାରଣ ଲୋକଙ୍କ ଭିତରେ ତିଆରି ହୋଇଛି, ସେହି ଛବିକୁ ଠିକ କରିବା ପାଇଁ ମୁମ୍ବାଇ ଗସ୍ତ ନୁହେଁ ତ? ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଧାନସଭା ଆଗ ନା ପ୍ରାୟୋଜିତ ପୁରସ୍କାର ଗ୍ରହଣ ଆଗ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି। ଏହାର ଜବାବ ରଖିଛି ବିଜୁ ଜନତା ଦଳ । ଜୟ ନାରାୟଣ କେବଳ ବିରୋଧୀ ଦଳ ନେତା ନୁହଁନ୍ତି, ସେ ଓଡ଼ିଶା ବିରୋଧୀ ନେତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଥିବା ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଆମେ ଜାଣିଥିଲୁ । କିନ୍ତୁ ଆଜି ଏକ ନୂଆ କଥା ଜାଣିଲୁ, ସେ କେବଳ ବିରୋଧୀ ଦଳ ନେତା ନୁହଁନ୍ତି, ସେ ଓଡ଼ିଶା ବିରୋଧୀ ନେତା । ଓଡ଼ିଶାର ଯାହା ଛବି ଥିଲା ତାହା ଧୀରେ ଧୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଦଳିବାରେ ଲାଗିଛି । ଓଡ଼ିଶାର ଛବି ଓ ଚିତ୍ର ରୂପାନ୍ତରିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଆଜି ଓଡ଼ିଶାକୁ ସମ୍ମାନ ମିଳୁଛି । କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବାରୁ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଓଡ଼ିଶା ଏତେ ସମ୍ମାନ ପାଉଥିବା ବେଳେ ମାଟି ବିରୋଧୀ ଜୟନାରାୟଣ ସହ୍ୟ କରିପାରୁନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଜୟନାରାୟଣଙ୍କୁ ସମାଲୋଚନା କରିବାର ଅଛି, ତେବେ ସେ ବିଜୁ ଜନତା ଦଳକୁ କରନ୍ତୁ । ନହେଲେ ବିଜୁ ଜନତା ଦଳର ଯେକୌଣସି ନେତୃତ୍ୱଙ୍କୁ ସମାଲୋଚନା କରନ୍ତୁ । କିନ୍ତୁ ଓଡିଶା କିମ୍ବା ଓଡିଶା ମାଟିକୁ ଜୟ ସମାଲୋଚନା କରନ୍ତୁ ନାହିଁ । ମାଟି ବିରୋଧୀ ମନ୍ତବ୍ୟ ଦେଲେ ରାଜ୍ୟବାସୀ ଜୟନାରାୟଣଙ୍କୁ କେବେ କ୍ଷମା କରିବେ ନାହିଁ । ଜୟନାରାୟଣଙ୍କ ଲାଗି ଯିଏ ବି ଏଭଳି ସ୍କ୍ରିପ୍ଟ ଲେଖୁଛନ୍ତି ବା ତାଙ୍କ ଦ୍ଵାରା ଓଡିଶା ବିରୋଧୀ ମନ୍ତବ୍ୟ ଦିଆ କରୁଛନ୍ତି, ଏହା ଦ୍ବାରା ଜୟନାରାୟଣ କାର୍ଟୁନର ଆଖ୍ୟା ପାଇ ସାରିଲେଣି । ଯାହାକୁ ସେ ବୁଝିପାରୁନାହାନ୍ତି । ଜୟନାରାୟଣ ଯାହା କରୁଛନ୍ତି, କରନ୍ତୁ କିନ୍ତୁ ଓଡ଼ିଶାର ସମ୍ମାନରେ ଆଞ୍ଚ ଆସିଲା ପରି କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ ବୋଲି ଶ୍ରୀମୟୀ କହିଛନ୍ତି ।

Related Posts