ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଦିନ ଦ୍ଵିପହରରେ ମୋବାଇଲ ଟାଓ୍ବାର ଚୋରି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ । ଜୟପୁର ନିକଟସ୍ଥ ବାଲିଆରୁ ଏହି ମୋବାଇଲ ଟାଓ୍ବାର ଚୋରି ହୋଇ ଆନ୍ଧ୍ରକୁ ଚାଲାଣ ହେଉଥିବା ବେଳେ ଟ୍ରକ ସହ ଚୋରି ସାମଗ୍ରୀକୁ ଜବତ କରିଛି ଜୟପୁର ସଦର ପୋଲିସ । ଏହା ସହ ଅଭିଯୁକ୍ତ ଏମ୍.ସାଇରାମକୁ ଗିରଫ କରିଛି ପୋଲିସ ।
ଖବର ଅନୁଯାୟୀ, ୨୦୦୮ ମସିହାରେ ଏହି ମୋବାଇଲ ଟାଓ୍ବାର ବାଲିଆର ରାମ ଚନ୍ଦ୍ର ସେନାପତିଙ୍କ ଜମିରେ ସ୍ଥାପନା ହୋଇଥିଲା। ତେବେ ୨୦୧୪ ମସିହା ଠାରୁ ଏହା ଅଚଳ ହୋଇପଡି ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଟାଓ୍ବାର ଚୋରି କରି ନେଉଥିବା ପୋଲିସ କହିଛି। ଜବତ ଚୋରି ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି ।





