ବିଜେପିକୁ ଆକ୍ଷେପ କରିବା ପୂର୍ବରୁ ଜୟରାମ ରମେଶ ଦର୍ପଣରେ ନିଜ ଚେହେରା ଦେଖିବା ଉଚିତ୍: ମୋହନ ମାଝି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଓ ଦିଗବିଜୟ ସିଂହ ଓଡ଼ିଶା ଗସ୍ତରେ ଆସି ଓଡ଼ିଶାରେ ଭାରତ ଯୋଡ ଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତି କରିଛନ୍ତି। ପ୍ରଥମେ ଦଳୀୟ ନେତାଙ୍କ ସହ ବୈଠକ କରିବା ପରେ ରବିବାର ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଏହି ଯାତ୍ରାର ପୂର୍ଣ୍ଣାଙ୍ଗ ରୂପରେଖ ବିଷୟରେ ସୂଚନା ଦେଇଛନ୍ତି। ଏହି ଅବସରରେ ଜୟରାମ ରମେଶ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ମଧ୍ୟ ଖୁବ୍‌ ବର୍ଷିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମୋଦୀ, ଆର୍‌ଏସ୍‌ଏସ୍‌ ଓ ବିଜେପିର ଜନବିରୋଧୀ ନୀତି ପାଇଁ ଭାରତ ଆଜି ରସାତଳଗାମୀ ହୋଇପଡ଼ିଛି। ଏହା ସହ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ରମେଶ। ସେ କହିଥିଲେ ଯେ, ଓଡ଼ିଶାରେ ବିଜେପି ସହିତ ବିଜେଡି ଲଢ଼ୁଛି। କିନ୍ତୁ ସେମାନେ ଦିଲ୍ଲୀରେ ଏକାଠି। ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଠବସ ହୁଅନ୍ତି। ସେ ବସ କହିଲେ ଏ ବସନ୍ତି, ଉଠୁ କହିଲେ ଉଠନ୍ତି ବୋଲି ସେ କହିଥିଲେ।

ଏହା ପରେ ରମେଶଙ୍କ ମନ୍ତବ୍ୟ ଉପରେ ଜବାବ୍ ରଖିଛି ବିଜେପି । ଦଳ ପକ୍ଷରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜୟରାମ ରମେଶ ବିଜେପିକୁ ଆକ୍ଷେପ କରିବା ପୂର୍ବରୁ ଦର୍ପଣରେ ନିଜ ଚେହେରା ଦେଖିବା ଉଚିତ୍। ଅତୀତର କୁକର୍ମ ପାଇଁ ରାଷ୍ଟ୍ରୀୟ ସ୍ତରରେ କଂଗ୍ରେସ ଦଳର ସ୍ଥିତି ଦିନକୁ ଦିନ ରସାତଳକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ବଳିଷ୍ଠ ବ୍ୟକ୍ତିତ୍ୱ ଓ ଲୋକାଭିମୁଖୀ ଯୋଜନା ଯୋଗୁଁ କଂଗ୍ରେସର ହାଇକମାଣ୍ଡଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅସହିଷ୍ଣୁ ହୋଇପଡ଼ିଛନ୍ତି। ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଦେଶ ଓ ବିଦେଶରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଜେ ହଜମ ନକରିପାରି ବାଉଳା ଚାଉଳା ହେଉଛନ୍ତି। କଂଗ୍ରେସ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କଲାବେଳକୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳ ଛିଡ଼ିପଡୁଛି। ଦୁଇଦିନ ତଳେ ଗୋଆରେ କଂଗ୍ରେସ ଛାଡ଼ିଥିବା ବିଧାୟକଙ୍କ ଘଟଣା ହେଉଛି କଂଗ୍ରେସ ଦଳର ବାସ୍ତବ ସ୍ଥିତି। ଏପରିକି ଓଡ଼ିଶାରେ ମଧ୍ୟ ନିଜ ସ୍ଥିତି ବଜାୟ ରଖିବା ପାଇଁ କଂଗ୍ରେସ ଦଳ ସଂଗ୍ରାମ ଜାରି ରଖିଛି। ରାଜ୍ୟରେ କଂଗ୍ରେସ ଶାସକ ବିଜେଡିର ବି-ଟିମ୍ ସାଜି କ୍ଷମତା ଉପଭୋଗ କରୁଛି । ଓଡ଼ିଶା କଂଗ୍ରେସର ଶୀର୍ଷ ନେତୃତ୍ୱ ଆଜି ଶାସକ ଦଳ ବିଜେଡି ପାଖରେ ବନ୍ଧା ପଡ଼ିଛନ୍ତି। ତତ୍କାଳୀନ ବିରୋଧୀ ଦଳ ନେତା ତଥା ବର୍ତମାନର ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ କଥା କାହାକୁ ଅଛପା ନାହିଁ ବୋଲି ମୋହନ୍ କହିଛନ୍ତି।

Related Posts