ଜମ୍ମୁ-କଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କରିବାର କିଛି ସମୟପରେ ପ୍ରତ୍ୟାହାର କରିନେଲା ବିଜେପି

  

ଭୁବନେଶ୍ୱର,୨୬/୮(ସତ୍ୟପାଠ ବ୍ୟୁରୋ):  ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବାପରେ ପ୍ରତ୍ୟାହାର କରିନେଲା ବିଜେପି। ଆଜି ବିଜେପି ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। କିନ୍ତୁ କିଛି ସମୟ ପରେ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଦଳ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରୁ ମଧ୍ୟ ଏହି ପ୍ରାର୍ଥୀ ତାଲିକାକୁ ହଟାଇ ଦେଇଛି। ଏହି ତାଲିକାରେ ବିଜେପି କିଛି ପରିବର୍ତ୍ତନ କରିବାକୁ ଯାଉଥିବା ସୂଚନା ମିଳିଛି।

ଜମ୍ମୁକଶ୍ମୀରର ୯୦ଟି ଆସନରେ ତିନୋଟି ପର୍ଯ୍ୟାୟରେ ଭୋଟ୍ ହେବ। ଏଥିପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

ବିଜେପି ପ୍ରତ୍ୟାହାର କରିନେଥିବା ତାଲିକାରେ ପମ୍ପୋରରୁ ସୟଦ ଶୌକତ ଗୟୁର ଅନ୍ଦ୍ରାବୀ, ରାଜପୋରାରୁ ଅରସିଦ ଭଟ୍ଟ, ସୋପିଆନ୍ରୁ ଜାଭେଦ୍ ଅହମ୍ମଦ କାଦ୍ରି, ଅନନ୍ତନାଗ ପଶ୍ଚିମବଙ୍ଗରୁ ମହମ୍ମଦ ରଫିକ୍ ୱାନି, ଅନନ୍ତନାଗରୁ ଆଡଭୋକେଟ୍ ସୟଦ ୱାଜାହଟ୍, ଶ୍ରୀଗୁଫବାଡା ବିଜବେହରାରୁ ସୋଫି ୟୁସୁଫଙ୍କୁ ଟିକେଟ୍ ଦେଇଥିଲା। ତେବେ କିନ୍ତୁ ବର୍ତ୍ତମାନ ଏହି ତାଲିକା ସଂଶୋଧିତ ହେବ। ବିଜେପିର ନୂଆ ତାଲିକା କେବେ ଆସିବ ସେନେଇ ଦଳ କୌଣସି ସୂଚନା ଦେଇନାହିଁ।

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ।ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍।

Related Posts