ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାରମ୍ବାର ନିଜ ଖବର କାଗଜରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭିକେ ପାଣ୍ଡିଆନଙ୍କ ବିରୋଧରେ ଲେଖିବା ପରେ, ଏବେ ନିଜ ଦଳ ବିଜେଡି ଟାର୍ଗେଟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ | ଗତକାଲି ଗଣମାଧ୍ୟମ ସାମ୍ନାରେ ସୋମ୍ୟଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ବ୍ଲାକମେଲର ବୋଲି କହିବା ସହ ମନ୍ତ୍ରୀ ପଦ ନମିଳିବାରୁ ସେ ଏଭଳି କରୁଥିବା କହିଥିଲେ | ଅନ୍ୟପଟେ ସୌମ୍ୟ ମଧ୍ୟ ଅରୁଣଙ୍କୁ ଏହାର ଜବାବ ଦେଇଥିଲେ |
ଗୋଟିଏ ପଟେ ସୌମ୍ୟଙ୍କୁ ନିଜ ଦଳ ଟାର୍ଗେଟ କରୁଥିବାବେଳେ, ଆଜି ତାଙ୍କ ସମର୍ଥନରେ ବାହାରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ | ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୌମ୍ୟ ଉଠାଇଥିବା ପ୍ରସଙ୍ଗକୁ ଯୁକ୍ତିଯୁକ୍ତ ବୋଲି କହିବା ସହିତ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି | ଚନ୍ଦ୍ରଯାନ-3 ର ଖର୍ଚ୍ଚ ସହ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଖର୍ଚ୍ଚର ପରିମାଣ ସମାନ ସେ ନିଜକୁ ସୁପର ଚିଫ ମିନିଷ୍ଟର ଭାବେ ପ୍ରୋଜେକ୍ଟ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି | ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସୌମ୍ୟ ଉଠାଇଥିବା ପ୍ରସଙ୍ଗକୁ ଯଥାର୍ଥ କହି ସମର୍ଥନ କରିଛନ୍ତି | ଜଣେ ସଚିବ ଗରିବ ଲୋକଙ୍କ ପଇସାରେ ହେଲିକ୍ୟାପ୍ଟରରେ ଉଡିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି |
ତେବେ ଗୋଟିଏ ପଟେ ନିଜ ଦଳରୁ ଟାର୍ଗେଟ ଓ ବିରୋଧୀଙ୍କ ସମର୍ଥନ ପରେ ସୌମ୍ୟ ବାବୁ ଆଗକୁ କଣ ପଦକ୍ଷେପ ନେଉଛନ୍ତି ଏବେ ତାହାରି ଉପରେ ନଜର |





