ଯୋରନ୍ଦା ସ୍ଥିତ ମହିମା ଗାଦିରେ ଜବରଦଖଲ ଉଚ୍ଛେଦ ପାଇଁ ଚାଲିଲା ଜେସିବି, ମାଟିରେ ମିଶିଲା ବତୀ ଓ ଧୂନି ମନ୍ଦିର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ବିଶ୍ଵପ୍ରସିଦ୍ଧ ମହିମା ଗାଦିରେ ଜବରଦଖଲ ଉଚ୍ଛେଦ ପାଇଁ ଚାଲିଲା ଜେସିବି ମେସିନ୍ । ମହିମାପୀଠ ପରିସରରେ ଥିବା ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ଆଜି ଜେସିବି ସାହାଯ୍ୟରେ ମାଟିରେ ମିଶାଯାଇଛି।

ମହିମା ପୀଠରେ ଥିବା ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଏହି ମନ୍ଦିରକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା।୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା। ତେବେ, ଏହି ମନ୍ଦିରଗୁଡିକୁ କୌପିନଧାରୀ ମହିମା ସମାଜ ବ୍ୟବହାର କରୁଥିଲେ। ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାକୁ ନେଇ କୋର୍ଟରେ ମାମଲା ରୁଜୁ କରାଯାଇଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଜାଗାକୁ ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ । ଏଥିପାଇଁ ଆଜି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୪୪ ଧାରା ଜାରି କରାଯାଇ ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ମାଟିରେ ମିଶାଯାଇଛି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ମାଜିଷ୍ଟ୍ରେଟ କହିଛନ୍ତି ଯେ, ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି। ଶାନ୍ତି ରକ୍ଷା ପାଇଁ ଉଭୟ ପକ୍ଷଙ୍କୁ ଅପିଲ କରିଛୁ।

Related Posts