ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ନୂଆ ମୋଡ । ରିୟାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କୁ ଗିରଫ କରିଛି ପୁଲିସ। ତେବେ ଗତକାଲି ପଶ୍ଚିମବଙ୍ଗର ହାୱଡାରେ ରିୟା କୁମାରୀଙ୍କୁ଼ ଗୁଳି କରି ହତ୍ୟା କରାଯାଇଥିଲା। ରିୟା କୁମାରୀ ତାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କ ସହ ଏକ କାରରେ ଯାତ୍ରା କରୁଥିଲେ। ଏହି ସମୟରେ ହାଇୱେରେ କିଛି ଲୁଟେରା ତାଙ୍କ ସ୍ୱାମୀଙ୍କୁ ଲୁଟିବାକୁ ଉଦ୍ୟମ କରିବା ଆରମ୍ଭ କରିଥିଲେ। ମାଡ଼ ମାରି ଲୁଟେରା ପ୍ରକାଶ କୁମାରଙ୍କୁ ଲୁଟିବାକୁ ଚେଷ୍ଟା କରୁଥିବା ଦେଖି ରୋକିବା ପାଇଁ ଆସିଥିଲେ ରିୟା। ଏହା ଦେଖି ରାଗରେ ଲୁଟେରାମାନେ ରିୟାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦେହରେ ଗୁଳିବାଜିବା ପରେ ରିୟାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
କିନ୍ତୁ ବର୍ତମାନ ଏହି ହତ୍ୟାକାଣ୍ଡ ପଛରେ ରିୟାଙ୍କ ସ୍ୱାମୀ ପ୍ରକାଶଙ୍କର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ଆଗରୁ ରିୟାଙ୍କୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପୂର୍ବତନ ପତ୍ନୀ ହତ୍ୟା ଧମକ ଦେଇଥିବା ରିୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାଦିନ ରିୟା,ତାଙ୍କ ଅଢ଼େଇ ବର୍ଷର ଝିଅ ଏବଂ ସ୍ୱାମୀ କାରରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଲୁଟ୍ ଉଦ୍ୟମ ହୋଇଥିଲା। କିନ୍ତୁ ଏହି ଘଟଣାପଛର ମାଷ୍ଟରମାଇଣ୍ଡ ରିୟାଙ୍କ ସ୍ୱାମୀ ପ୍ରକାଶ ଥିବା ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ରିୟାଙ୍କୁ ହତ୍ୟାପରେ ସେଇଦିନ ପ୍ରକାଶ କୁମାର ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ। ଅଭିନେତ୍ରୀ ରିୟା କୁମାରୀଙ୍କ ସ୍ୱାମୀ ପ୍ରକାଶ କୁମାର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ। ସେ ଅନେକ କ୍ଷୁଦ୍ର ଏବଂ ବିଜ୍ଞାପନ ନିର୍ମାଣ କରିଛନ୍ତି। ସେ ଖଣି ବ୍ୟବସାୟ ମଧ୍ୟ କରନ୍ତି।





