ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): ଝାଡଖଣ୍ଡ ଅର୍ଥମନ୍ତ୍ରୀ ଡ.ରାମେଶ୍ୱର ଓରାଓଁ ଆଜି ରାଜ୍ୟ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଗତବର୍ଷ ରାଜ୍ୟ ପାଇଁ ୧.୦୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ଚଳିତ ବର୍ଷ ୧.୧୬ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହି କ୍ରମରେ ଅର୍ଥମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଅନେକଗୁଡିଏ ନୂଆ ଯୋଜନା ପାଇଁ ବ୍ୟୟବରାଦ ମଧ୍ୟ କରିଛନ୍ତି ।
ଚଳିତ ବଜେଟରେ ଝାରଖଣ୍ଡର ହେମନ୍ତ ସୋରେନ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ୍ ଯୋଜନା ଲାଗୁ କରିଛନ୍ତି । ଏଥିପାଇଁ ସରକାର ୭୦୦ କୋଟି ଟଙ୍କାର ବଜେଟ ରଖିଛନ୍ତି। ଏହାସହ ଝାଡଖଣ୍ଡର ଦୁମକା ଓ ବୋକାରୋ ପାଇଁ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ସୋରେନ୍ ସରକାର । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସୃଜନ ଯୋଜନାରେ ରାଜ୍ୟରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି । ସେମାନଙ୍କର ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ସରକାର ତତ୍ପରତା ଦେଖାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି ସେମାନେ ପ୍ରଶିକ୍ଷଣ ନେଇସାରିବା ପରେ ଚାକିରୀ ନମିଳିବ ତେବେ ସେମାନଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ। ସେହି ସମାନ କ୍ଷେତ୍ରରେ ମହିଳା ଓ ଦିବ୍ୟାଙ୍କଙ୍କୁ ପ୍ରତିମାସ ୧୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଅନ୍ୟପଟେ ରାଜ୍ୟରେ ଶିକ୍ଷା ଓ ସାକ୍ଷରତା ବିଭାଗ ପାଇଁ ସରକାର ୧୨,୪୪୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହାସହ କୃଷକମାନଙ୍କ ପାଇଁ ମଧ୍ୟ ସୋରେନ ସରକାର ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ଚଳିତ ବଜେଟରେ କୃଷକଙ୍କ ଋଣଛାଡ ପାଇଁ ୧୪୨୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏଥିରେ ୪.୫ ଲକ୍ଷ କୃଷକ ପରିବାର ଉପକୃତ ହେବେ ବୋଲି କୁହାଯାଇଛି ।
ଏହାସହ ରାଜ୍ୟର କିଛି ଜିଲ୍ଲାରେ ପଲି ଟେକନିକ୍ କଲେଜ ଖୋଲିବା ନେଇ କୁହାଯାଇଛି । ଶିଶୁମାନଙ୍କର ପ୍ରାରମ୍ଭିକ ଶିକ୍ଷାପାଇଁ ରାଜ୍ୟରେ ୮୦୦ ଅଙ୍ଗନବାଡୀ କେନ୍ଦ୍ର ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାସହ ଅଙ୍ଗନବାଡୀ ସେବିକାଙ୍କୁ ସ୍ମାର୍ଟଫୋନ ଦେବାକୁ ବଜେଟରେ ବ୍ୟୟବରାଦ କରାଯାଇଛି ।





