ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଯାଞ୍ଚ୍ ଶେଷ ହୋଇଛି । ଯାଞ୍ଚ୍ ପରେ ୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନକୁ ରିଟର୍ଣ୍ଣିଂ ଅଫିସର୍ ରଦ୍ଦ କରିଛନ୍ତି । ଫଳରେ ନାମାଙ୍କନ ଦାଖଲ କରିଥିବା ମୋଟ ୧୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ରହିଛି । ତେବେ ଆସନ୍ତା ୨୪ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ଥିବାରୁ ୨୫ ତାରିଖ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।
ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଟଙ୍କଧର ତ୍ରିପାଠୀ (ବିଜେପି), ତରୁଣ ପାଣ୍ଡେ (କଂଗ୍ରେସ), ଦୀପାଳି ଦାସ (ବିଜେଡି), ଜନ୍ମ ରୋହିଦାସ (ଓଡ଼ିଶା ପ୍ରଗତି ଦଳ), ମନୀଷ ଶର୍ମା (ଓଡ଼ିଶା ଜନତା ପାର୍ଟି), ମହେନ୍ଦ୍ର ପଟ୍ଟନାୟକ (କଳିଙ୍ଗ ସେନା), ବିଜୟ କୁମାର ଜଲାନ (ହିନ୍ଦୁସ୍ତାନ ନିର୍ମାଣ ଦଳ), ଜ୍ଞାନେନ୍ଦ୍ର ବେହେରା (ସ୍ୱାଧୀନ), ଭୁବନେଶ୍ୱର ଗର୍ଡିଆ (ସ୍ୱାଧୀନ) ଏବଂ ମହେନ୍ଦ୍ର ଲୁହା (ସ୍ୱାଧୀନ) ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ରହିଛି । ସେପଟେ ନାମାଙ୍କନ ଯାଞ୍ଚ୍ ପରେ ତୁଳାରାମ ଗୁରୁ (ନବ ଭାରତ ନିର୍ମାଣ ସେବା ପାର୍ଟି), ସନ୍ତୋଷ ମହାପାତ୍ର (ସ୍ୱାଧୀନ), ଶ୍ରୀଦମ ଶର୍ମା (ସ୍ୱାଧୀନ) ଏବଂ ରୀନା ମିଶ୍ର (ଦେଶ ଦଳ)ଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଯାଇଛି ।





