ଝାରସୁଗୁଡ଼ା ଉପନିର୍ବାଚନ; ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ନିଜ ସମର୍ଥକମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ଦୀପାଳି ନାମାଙ୍କନ ଭରିଛନ୍ତି। ଏହି ଅବସରରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ତଥା ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସାରଦା ନାୟକ, ଅରୁଣ ସାହୁ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ପ୍ରତାପ ଦେବ, ପ୍ରତାପ ଜେନା, ପଦ୍ମନାଭ ବେହେରା, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଯୋଗ ଦେଇଛନ୍ତି।

ତେବେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ବିଜେଡି ଏହି ଆସନରେ ତାଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିବଳି ୧୭ ତାରିଖରେ ଅର୍ଥାତ୍ ଗତକାଲି ଦଳବଳ ନେଇ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟା ଆସନ୍ତା ୨୦ ତାରିଖରେ ଶେଷ ହେବ। ୨୧ରେ ଯାଞ୍ଚ, ୨୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ମେ’ ମାସ ୧୦ ତାରିଖ ଦିନ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।

Related Posts