ଝାରସୁଗୁଡ଼ା ଉପନିର୍ବାଚନ; ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଟଙ୍କଧର ସକାଳେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଦଳୀୟ ଟିକେଟ୍ ଗ୍ରହଣ କରି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଲାଗି ବାହାରିଥିଲେ ।

ଟଙ୍କଧର ନାମାଙ୍କନ ଦାଖଲ କରିବା ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର, ଲୁଇସିଂହା ବିଧାୟକ ଡ଼ା. ମୁକେଶ ମହାଲିଙ୍ଗ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ଼ ସଦର ବିଧାୟିକା କୁଶୁମ ଟେଟେ, ଲେଖାଶ୍ରୀ ସାମନ୍ତ ସିଂଙ୍ଘା, ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗତ ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେପଟେ ଆସନ୍ତା କଲି ଅର୍ଥାତ୍ ୧୮ ତାରିଖରେ ନେଇ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବେ। ଆସନ୍ତା ୨୦ ତାରିଖରେ ନାମାଙ୍କନ ଦାଖଲ ଶେଷ ହେବ। ୨୧ରେ ଯାଞ୍ଚ, ୨୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଏବଂ ମେ’ ମାସ ୧୦ ତାରିଖ ଦିନ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।

Related Posts